ନିଶା ପାଇଁ ନେଉଛନ୍ତି ନିଷିଦ୍ଧ ଇଞ୍ଜେକ୍ସନ

ଆଶିଷ ରଞ୍ଜନ ପଣ୍ଡା
ରାୟଗଡ଼ା, ୫।୫: ନିଦ୍ରାହୀନତା, ବାନ୍ତି, ମୁଣ୍ଡବ୍ୟଥା, ଶରୀରରେ ହେଉଥିବା ଅସହ୍ୟ ଯନ୍ତ୍ରଣା ଉପଶମ ପାଇଁ ବ୍ୟବହାର କରାଯାଏ ଫୋର୍ଟୱିନ ଏବଂ ଫେନରଗାନ୍‌ ଇଞ୍ଜେକ୍ସନ। ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ହେଉଥିବା ପୀଡ଼ା ଏବଂ ବାନ୍ତିକୁ ରୋକିବାରେ ଏହା ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ରୋଗୀଙ୍କ ପାଇଁ ସେତିକି ଆବଶ୍ୟକତା ଅନୁଭବ କରିବା ପରେ ହିଁ ଡାକ୍ତର ଏଥିଲାଗି ପରାମର୍ଶ ଦେଇଥାଆନ୍ତି। ହେଲେ ଜଟିଳ ପାର୍ଶ୍ୱପ୍ରତିକ୍ରିୟା ଦେଖାଯିବା ଆଶଙ୍କା ଥିବାରୁ ପ୍ରାୟ ୧୦ ବର୍ଷ ହେଲା ବିନା ପ୍ରେସ୍‌କ୍ରିପ୍‌ଶନରେ ଏହି ଦୁଇ ଇଞ୍ଜେକ୍ସନର ଅବାଧ କାରବାର ଉପରେ କଟକଣା ଜାରି କରାଯାଇଛି। ତେବେ ରାୟଗଡ଼ା ଜିଲାର ନିଶା କବଳିତ ଯୁବପିଢ଼ି ଏଭଳି ବିପଜ୍ଜନକ ଇଞ୍ଜେକ୍ସନର ଭୟାବହତା ବିଷୟରେ ସାମାନ୍ୟତମ ସଚେତନ ନାହାନ୍ତି। ଶସ୍ତାରେ ନିଶା ଆବଶ୍ୟକତା ପୂରଣ କରିବାକୁ ଯାଇ ସେମାନେ ସ୍ବାସ୍ଥ୍ୟକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। ନିଶା ଇଞ୍ଜେକ୍ସନର ଏଭଳି ଅବାଧ କାରବାର ରୋକିବା ଦିଗରେ ଡ୍ରଗ୍ସ ବିଭାଗର ନିୟନ୍ତ୍ରଣ ନ ଥିବାବେଳେ ଏହାର ଚେର ସହର ଡେଇଁ କ୍ରମଶଃ ଗ୍ରାମାଞ୍ଚଳକୁ ମାଡ଼ିଚାଲିଥିବା ଅଭିଯୋଗ ହେଉଛି।
‘ଧରିତ୍ରୀ’ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି, ରାୟଗଡ଼ା ଜିଲାର ରାୟଗଡ଼ା, ମୁନିଗୁଡ଼ା ସମେତ ଶିଳ୍ପ ପ୍ରତିଷ୍ଠାନ ଗଢ଼ି ଉଠିଥିବା ଅଞ୍ଚଳରେ ନିଶା କବଳିତ ଯୁବପିଢ଼ି ଅସୁରକ୍ଷିତ ଭାବେ ଫୋର୍ଟୱିନ୍‌ ଏବଂ ଫେନରଗାନ୍‌ ଇଞ୍ଜେକ୍ସନ ବ୍ୟବହାର କରୁଛନ୍ତି। ୨ ଏମ୍‌ଏଲ୍‌ ବିଶିଷ୍ଟ ଫେନରଗାନ୍‌ ଭାଏଲ୍‌ର ଦାମ୍‌ ୧୩ ଟଙ୍କା ୪୦ ପଇସା ଥିବାବେଳେ ଫୋର୍ଟୱିନ୍‌ର ବଜାର ମୂଲ୍ୟ ରହିଛି ୫ ଟଙ୍କା ୯ ପଇସା। ତେବେ ଏହି ଦୁଇ ଇଞ୍ଜେକ୍ସନର ଶରୀର ଉପରେ ପ୍ରତିକୂଳ ପ୍ରଭାବ ଜଣାପଡ଼ିବା ପରେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପ୍‌ଶନ୍‌ରେ ଏହାର ବିକ୍ରି ଉପରେ କଟକଣା ଜାରି କରାଯାଇଥିବା ରାୟଗଡ଼ା ଡ୍ରଗ୍ସ ଇନ୍ସପେକ୍ଟର ପ୍ରିୟରଞ୍ଜନ ନାୟକ କହିଛନ୍ତି। ତେବେ ଡ୍ରଗ୍ସ ବିଭାଗ କେବଳ ନିର୍ଦ୍ଦେଶନାମା ଜାରି କରି ନୀରବ ରହିଯାଇଥିବାବେଳେ ଖୋଲା ବଜାରରେ ଏହାର ଅବାଧ ବ୍ୟବସାୟ ବିଭାଗୀୟ ଅପାରଗତା ବୋଲି ଚର୍ଚ୍ଚା ହେଉଛି।
ଫୋର୍ଟୱିନ୍‌ ଏବଂ ଫେନରଗାନ୍‌ ବାହାରୁ ଚୋରାରେ ରାୟଗଡ଼ା ଜିଲାକୁ ଆସୁଥିବା ଜଣାପଡ଼ିଛି। ଅଧିକାଂଶ ଔଷଧ ଦୋକାନରେ ଏହା ଲୁଚାଚୋରାରେ ମିଳିଯାଉଛି। ଇଞ୍ଜେକ୍ସନ ନିଶା କବଳରେ ପଡ଼ିଥିବା ଯୁବକମାନେ ଚିହ୍ନା ପରିଚିତ ଦୋକାନୀଙ୍କଠାରୁ ଏହାକୁ ସଂଗ୍ରହ କରୁଛନ୍ତି। ଅସୁରକ୍ଷିତ ଭାବେ ଇନ୍‌ସୁଲିନ୍‌ ଦେବାରେ ବ୍ୟବହୃତ ସିରିଞ୍ଜରେ ସେମାନେ ଚମଡ଼ା ତଳେ ଏହି ନିଶା ଇଞ୍ଜେକ୍ସନକୁ ଶରୀରରେ ପୂରାଉଛନ୍ତି। ବିଶେଷ କରି ୨୫ରୁ ୪୦ ବର୍ଷୀୟ ଯୁବପିଢ଼ିଙ୍କ ନିକଟରେ ଏହି ନିଶା ପ୍ରବଣତା ବଢ଼ିବାରେ ଲାଗିଛି। ହେଲେ ଏହା ଯେ ସେମାନଙ୍କୁ ଧୀରେ ଧୀରେ ମୃତ୍ୟୁମୁଖକୁ ଟାଣି ନେଉଛି, ସେ ସମ୍ପର୍କରେ ସେମାନେ ଜାଣିପାରୁନାହାନ୍ତି। ଏ ଦିଗରେ ଡ୍ରଗ୍ସ ବିଭାଗ ପକ୍ଷରୁ ମଧ୍ୟ ଆବଶ୍ୟକ ସଚେତନତା ସୃଷ୍ଟି କରା ନ ଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡ. ସୁରେଶ କୁମାର ଦେ କୁହନ୍ତି, ରୋଗୀଙ୍କ ଯନ୍ତ୍ରଣା ଉପଶମ କ୍ଷେତ୍ରରେ ସେତିକି ଆବଶ୍ୟକ ହେଲେ ଫୋର୍ଟୱିନ, ଫେନରଗାନ୍‌ ବ୍ୟବହାର ଲାଗି ଡାକ୍ତର ପରାମର୍ଶ ଦେଇଥାଆନ୍ତି। ରୋଗୀଙ୍କ ଲାଗି ଉଭୟ ଇଞ୍ଜେକ୍ସନ୍‌ର ୧ ଏମ୍‌ଏଲ୍‌ ଡୋଜ୍‌ ଯଥେଷ୍ଟ। ଫୋର୍ଟୱିନ୍‌ ଇଞ୍ଜେକ୍ସନ୍‌ ମେରୁଦଣ୍ଡ ଏବଂ ମସ୍ତିଷ୍କର ସ୍ନାୟୁକୋଷକୁ ସକ୍ରିୟ କରି ଯନ୍ତ୍ରଣା ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ସ୍ନାୟବିକ ତନ୍ତ୍ରକୁ ନିୟନ୍ତ୍ରଣ କରି ଯନ୍ତ୍ରଣା ପ୍ରତିରୋଧୀ ଭାବେ କାର୍ଯ୍ୟ କରେ। ହେଲେ ଦୈନିକ ନିଶା ଭାବେ ଗ୍ରହଣ କଲେ ଏହା ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବ ବୋଲି ସେ ସତର୍କ କରାଇଛନ୍ତି।
ଦଲାଲ ଗୋଷ୍ଠୀ ସକ୍ରିୟ
ଫୋର୍ଟୱିନ, ଫେନରଗାନ୍‌ ଭଳି ନିଷିଦ୍ଧ ଇଞ୍ଜେକ୍ସନର ବେଆଇନ କାରବାରରେ ଦଲାଲ ଗୋଷ୍ଠୀ କାମ କରୁଛନ୍ତି। ସେମାନେ ବାହାରୁ ଇଞ୍ଜେକ୍ସନ ମଗାଇ ମହଜୁଦ୍‌ କରି ରଖୁଛନ୍ତି। ନିଶାସକ୍ତ କଲେଜ ପଢୁଆ ପିଲା, ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିମାନେ ମୁଖ୍ୟତଃ ଏହାକୁ ବ୍ୟବହାର କରୁଥିବାରୁ ସେମାନେ ଔଷଧ ଦୋକାନୀଙ୍କ ଜରିଆରେ ଏହାକୁ କିଣି ନେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୋଗୀଙ୍କ ପାଇଁ ୫ରୁ ୧୫ ଟଙ୍କାରେ ବଜାରରେ ମିଳୁଥିବା ଏହି ଇଞ୍ଜେକ୍ସନକୁ ୨୦୦ରୁ ୫୦୦ ଟଙ୍କାରେ ନିଶାଡ଼ିଙ୍କୁ ବିକ୍ରି କରାଯାଉଛି। ଏହା ଜାଣିବା ସତ୍ତ୍ୱେ ଇଞ୍ଜେକ୍ସନ ନିଶାରେ ପଡ଼ିଥିବା ଯୁବବର୍ଗ ଏହାକୁ ଅନାୟାସରେ କିଣି ନେଉଛନ୍ତି। ଔଷଧ ଦୋକାନରେ ଅତର୍କିତ ଚଢ଼ାଉ କରି ଯାଞ୍ଚ କରାଗଲେ ଫୋର୍ଟୱିନ, ଫେନରଗାନ୍‌ ବ୍ୟବସାୟକୁ ନେଇ ଅନେକ ରହସ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
କମ୍‌ ଡୋଜ୍‌ରେ ବେଶି ପ୍ରଭାବୀ
ଏକଦା ଫୋର୍ଟୱିନ, ଫେନରଗାନ୍‌ କବଳରେ ପଡ଼ିଥିବା ରାୟଗଡ଼ାର ଜଣେ ୩୫ ବର୍ଷୀୟ ଯୁବକ ନାମ ଗୋପନ ରଖିବା ସର୍ତ୍ତରେ ନିଜ ଅନୁଭୂତି ବଖାଣି କହିଛନ୍ତି ଯେ, ତାଙ୍କୁ ଯେତେବେଳେ ୨୦-୨୫ ବର୍ଷ; ସେତେବେଳେ କୁସଙ୍ଗରେ ପଡ଼ି ଏହି ନିଶା ଗ୍ରହଣ କରିବା ଆରମ୍ଭ କରିଥିଲେ। କମ୍‌ ଡୋଜ୍‌ରେ ବେଶି ନିଶା ହେଉଥିବାରୁ ସମୟକ୍ରମେ ଏହା ଅଭ୍ୟାସରେ ପରିଣତ ହୋଇଗଲା। ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଶରୀର ଉପରେ ଏହାର ଖରାପ ପ୍ରଭାବକୁ ସେ ଅଣଦେଖା କରିଥିଲେ। ହେଲେ କିଛିଦିନ ପରେ ତାଙ୍କ ଶରୀର ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲା। ବିଭିନ୍ନ ରୋଗ ମାଡ଼ିବସିଲା। ଫଳରେ ଏଭଳି କୁ-ଅଭ୍ୟାସ ଛାଡ଼ିବାକୁ ସେ ଚିନ୍ତା କଲେ। ୮-୧୦ ବର୍ଷ ହେବ ସେ ନିଶା ଛାଡ଼ି ଦେଇଛନ୍ତି ଏବଂ ବିଦ୍ୟୁତ୍‌ ବିଭାଗରେ ଚାକିରି କରି ଖୁସିରେ ଥିବା ସମ୍ପୃକ୍ତ ଯୁବକ କହିଛନ୍ତି। ସେ ଆହୁରି କହିଛନ୍ତି, ମୁଖ୍ୟତଃ ପ୍ରେମ ପ୍ରତାରଣା, ପାରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା ଯୁବପିଢ଼ିଙ୍କୁ ନିଶା ଆଡ଼କୁ ଟାଣି ନେଉଛି। ମାନସିକ ଯନ୍ତ୍ରଣା ଦୂରେଇବାକୁ ସେମାନେ ଫୋର୍ଟୱିନ, ଫେନରଗାନ୍‌ ଭଳି ତୀବ୍ର ନିଶାଯୁକ୍ତ ଔଷଧ ବ୍ୟବହାର କରୁଛନ୍ତି। ଏଭଳି ନିଶା ବ୍ୟବହାରକାରୀ ମୁଖ୍ୟସ୍ରୋତକୁ ଫେରିବା ସାମାନ୍ୟ କଷ୍ଟକର ହେଲେ ମଧ୍ୟ ଅସମ୍ଭବ ନୁହେଁ। ହେଲେ ଜିଲାରେ ନିଶା ନିବାରଣ କେନ୍ଦ୍ର ନ ଥିବାରୁ ଏଥିରେ ସମସ୍ୟା ସୃଷ୍ଟି ହେଉଛି। ଏ ଦିଗରେ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ଡ୍ରଗ୍ସ ବିଭାଗ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri