ତାଳଦଣ୍ଡା କେନାଲ ପାଣି ପିଇବା, ଗାଧୋଇବାକୁ ଅନୁପଯୁକ୍ତ

ପାରାଦୀପ,୧୧ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଶିଳ୍ପଭିତ୍ତିକ ସହରାଞ୍ଚଳ ପାଇଁ ତାଳଦଣ୍ଡା କେନାଲ ହେଉଛି ଜୀବନରେଖା। କାରଣ ସବୁ ଶିଳ୍ପସଂସ୍ଥା, ପାରାଦୀପ ବନ୍ଦର ଏବଂ ସହରାଞ୍ଚଳବାସୀ ତାଳଦଣ୍ଡା କେନାଲ ପାଣି ଉପରେ ନିର୍ଭରଶୀଳ। ଏହାବାଦ୍‌ ଜଗତ୍‌ସିଂହପୁର ଜିଲାର ବହୁ ଗ୍ରାମାଞ୍ଚଳ ବାସିନ୍ଦା ମଧ୍ୟ ଏହି କେନାଲ ପାଣି ବ୍ୟବହାର କରିଥା’ନ୍ତି। ସମ୍ପ୍ରତି ଉକ୍ତ କେନାଲରେ ଏବେ ଜଳସଙ୍କଟ ଲାଗି ରହିଛି। କାରଣ ମହାନଦୀରେ ପାଣି ନ ଥିବାରୁ ଆବଶ୍ୟକ ମୁତାବକ ପାଣି କଟକ ଯୋବ୍ରା ଆନିକଟରୁ ଯୋଗାଣ ହୋଇ ପାରୁନାହିଁ ବୋଲି ସରକାରୀ ଭାବେ କୁହାଯାଇଛି। ଜଳାଭାବ ସହ ଆଉ ଗୋଟିଏ ସମସ୍ୟା ଏହି ତାଳଦଣ୍ଡା କେନାଲ ପାଣିରେ ଦେଖାଦେଇଛି। ଯଥା ଉକ୍ତ ପାଣି ପ୍ରଦୂଷିତ ହୋଇଗଲାଣି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରତିବର୍ଷ ତାଳଦଣ୍ଡା କେନାଲର ପାଣି ପରୀକ୍ଷା କରାଯାଇଥାଏ। ତା’ର ରିପୋର୍ଟ ବୋର୍ଡର ୱେବ୍‌ସାଇଟ୍‌ରେ ଉପଲବ୍ଧ ଅଛି। ସେହି ରିପୋର୍ଟ ମୁତାବକ, ଉକ୍ତ କେନାଲ ପାଣିରେ ଟିସି (ଟୋଟାଲ କେମିକାଲ) ଓ ଏଫ୍‌ସି (ଫେକାଲ କେମିକାଲ) ମାତ୍ରା ଅଧିକ ରହୁଛି। ଟିସି ଓ ଏଫ୍‌ସି ସମ୍ପର୍କରେ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରାଙ୍କୁ ପଚାରିବାରେ କେନାଲ ପାଣିରେ ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ମିଶିଲେ ତାହା ପ୍ରଦୂଷିତ ହୋଇଥାଏ। ଏହାବାଦ୍‌ ପାଣିରେ ସ୍ନାନ, ଶୌଚ କରିବା ଦ୍ୱାରା ଏଫ୍‌ସି ବୃଦ୍ଧି ପାଇଥାଏ। ଏହି ଟିସି ଓ ଏଫ୍‌ସି ଅଧିକ ରହିଲେ ଚର୍ମରୋଗ ହେବାର ସମ୍ଭାବନା ଅଛି। ଏତଦ୍‌ ବ୍ୟତୀତ ଉକ୍ତ କେନାଲର ଅଧିକାଂଶ ସ୍ଥାନରେ ଲୋକମାନେ ଗୃହପାଳିତ ପ୍ରାଣୀ ଗାଈ, ମଇଁଷି, ମେଣ୍ଢା, ଛେଳି, କୁକୁର ଆଦିକୁ ଗାଧୋଇ ଦେଇଥାନ୍ତି। ତାହା ମଧ୍ୟ ହେବାକଥା ନୁହେଁ। କେନାଲ କଡ଼ରେ ଅନେକ ସ୍ଥାନରେ ଗାଡ଼ି ସର୍ଭିସିଂ ସେଣ୍ଟର ଅଛି। ଗାଡ଼ି ଧୁଆରୁ ଉଦ୍‌ବୃତ୍ତ ତୈଳାକ୍ତ ପାଣି ମଧ୍ୟ ମଣିଷ ଶରୀର ପାଇଁ କ୍ଷତିକାରକ, ଯାହା ଏହି କେନାଲରେ ଅଧିକ ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୂଷଣ ବୋର୍ଡ ୨୦୨୨ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ତାଳଦଣ୍ଡା କେନାଲର ୬ଟି ସ୍ଥାନରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ସେହି ୬ଟି ସ୍ଥାନ ହେଲା କଟକ ଯୋବ୍ରା, ରାଣୀହାଟ, ଛତ୍ରବଜାର, ନୂଆବଜାର, ବିରିବାଟୀ ଓ ପାରାଦୀପର ଅଠରବାଙ୍କୀ। ଅନେକ ବୈଷୟିକ ତଥ୍ୟ ଉକ୍ତ ରିପୋର୍ଟରେ ରହିଛି। କେନାଲକୁ ନିୟମିତ ସଫା କରିବା ସହ ଏଥିରେ ଯେପରି ବର୍ଜ୍ୟବସ୍ତୁ ନ ମିଶିବ, ସେଭଳି ବ୍ୟବସ୍ଥା ହେବା ଦରକାର ବୋଲି ପରିବେଶବିତ୍‌ ଅମରେଶ ନରେଶ ସାମନ୍ତ କହିଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତିଙ୍କୁ ପଚାରିବାରେ କେନାଲକୁ ଏବେ ନବୀକରଣ କରାଯାଉଛି। କାମ ସମ୍ପୂର୍ଣ୍ଣ ହୋଇଗଲେ ସ୍ବଚ୍ଛତା ଆସିଯିବ। ଖାଲି ତାଳଦଣ୍ଡା କେନାଲ ନୁହେଁ, ରାଜ୍ୟର ଅଧିକାଂଶ ନଦୀର ପାଣି ପ୍ରଦୂଷିତ ବୋଲି ବୋର୍ଡ ରିପୋର୍ଟରେ ଦର୍ଶାଯାଇଛି।