Categories: ଖେଳ

ସ୍ବିଟେକ୍‌-ଜାବେର ଫାଇନାଲ

ନ୍ୟୁୟର୍କ,୧୦ା୯: ୟୁଏସ୍‌ ଓପନ ଟେନିସ୍‌ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ପୋଲାଣ୍ଡର ଇଗା ସ୍ବିଟେକ୍‌ ଓ ଟ୍ୟୁନିସିଆର ଓନ୍ସ ଜାବେର। କ୍ରମାଗତ ଦ୍ୱିତୀୟ ଥର ପାଇଁ ଜାବେର କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇମାସ ତଳେ ଓ୍ବିମ୍ବେଲଡନ ଫାଇନାଲରେ ପ୍ରବେଶ କରି ସେ ରନର୍ସଅପ୍‌ ହୋଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ସେମି ଫାଇନାଲ ମ୍ୟାଚରେ ଜାବେର କାରୋଲିନା ଗାର୍ସିଆଙ୍କୁ ୬-୧ ଓ ୬-୩ ସେଟରେ ପରାସ୍ତ କରିଥିଲେ। କ୍ରମାଗତ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିବା ମୋ ପାଇଁ ବେଶ୍‌ ଖୁସିର ମୁହୂର୍ତ୍ତ ବୋଲି ଜାବେର ନିଜ ପ୍ରତିକ୍ରିୟାରେ କହିଥିଲେ। ଓ୍ବିମ୍ବେଲଡନ ମୋ ପାଇଁ ସ୍ବପ୍ନ ପରି ଥିଲା। ତେବେ ଏଠାରେ କଣ କରିବାକୁ ହେବ ତାହା ମୁଁ ଜାଣିଛି ବୋଲି ସେ କହିଛନ୍ତି। କ୍ୱାର୍ଟରରେ ଆମେରିକୀୟ କୋକୋ ଗଫ୍‌ଙ୍କୁ ପରାସ୍ତ କରି ସେମିକୁ ଆସିଥିବା ଗାର୍ସିଆଙ୍କ କ୍ରମାଗତ ୧୩ ମ୍ୟାଚ ବିଜୟ ଧାରାକୁ ରୋକିଥିଲେ।
ମହିଳା ସିଙ୍ଗଲ୍ସର ଦ୍ୱିତୀୟ ସେମିଫାଇନାଲକୁ ଜିତି ନେଇଛନ୍ତି ବିଶ୍ୱ ମାନ୍ୟତାର ଏକ ନମ୍ବର ଖେଳାଳି ଇଗା ସ୍ବିଟେକ୍‌। ୩ ସେଟ ବିଶିଷ୍ଟ ମ୍ୟାଚରେ ବିଶ୍ୱ ମାନ୍ୟତାରେ ୬ ନମ୍ବର ସ୍ଥାନରେ ରହିଥିବା ସେ ଆରିନା ସାବାଲେଙ୍କାଙ୍କୁ ୩-୬, ୬-୨ ଓ ୪-୬ରେ ପରାସ୍ତ କରିଥିଲେ। ଶେଷ ୨୦ ପଏଣ୍ଟରୁ ୧୬ ପଏଣ୍ଟ ହାସଲ କରିବା ସହିତ ଶେଷ ୪ଟି ଯାକ ଗେମ୍‌ ଜିତି ଫାଇନାଲରେ ପହଞ୍ଚିଥିଲେ ସ୍ବିଟେକ୍‌। ୨୧ ବର୍ଷୀୟ ପଲିସ୍‌ ଖେଳାଳି ଜଣଙ୍କ ପ୍ରଥମ ସେଟ୍‌କୁ ହାରିବା ପରେ ଦ୍ୱିତୀୟ ସେଟକୁ ଜିତି ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ନିର୍ଣ୍ଣାୟକ ସେଟ୍‌ରେ ୪-୨ରେ ପଛୁଆ ରହିଥିଲେ। ଠିକ୍‌ ଏହି ସମୟରେ ବାଥରୁମ୍‌ ବ୍ରେକ୍‌ ନେବା ସହିତ ସମ୍ପୂର୍ଣ୍ଣ ସତେଜ ହୋଇ କୋର୍ଟକୁ ଫେରିଥିଲେ। ପରବର୍ତ୍ତୀ ୧୭ ମିନିଟ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହିତ କ୍ରମାଗତ ୪ଟି ଗେମରେ ବିଜୟୀ ହୋଇ ଫଇନାଲରେ ପ୍ରବେଶ କରିଥିଲେ। ସ୍ବିଟେକ୍‌ ଦୁଇ ଦୁଇ ଥର ଫ୍ରେଞ୍ଚ ଓପନ ଟାଇଟଲ ହାସଲ କରିଥିଲେ ମଧ୍ୟ ପ୍ରଥମ ଥର ପାଇଁ ୟୁଏସ୍‌ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ସେ ଥରେ ମଧ୍ୟ ୟୁଏସ୍‌ ଓପନର ୪ର୍ଥ ରାଉଣ୍ଡ ଅତିକ୍ରମ କରିନାହାନ୍ତି। ସେହିପରି ପ୍ରଫେସନାଲ ଏରାରେ ପ୍ରଥମ ଆଫ୍ରିକୀୟ ମହିଳା ଭାବେ ୟୁଏସ୍‌ ଓପନ ଫାଇନାଲ ଖେଳିବେ। ପୁରୁଷ ସିଙ୍ଗଲ୍ସ ସେମି ଫାଇନାଲ ମ୍ୟାଚ୍‌ ୩ ନମ୍ବର ସିଡ୍‌ ସ୍ପେନର କାର୍ଲୋସ୍‌ ଆଲକାରେଜ୍‌ ଓ ୨୨ ନମ୍ବର ସିଡ୍‌ ଆମେରିକୀୟ ଫ୍ରାନ୍ସେସ୍‌ ଟିଆଫୋଙ୍କ ମଧ୍ୟରେ ଓ ଦ୍ୱିତୀୟ ମ୍ୟାଚଟି ନରଓ୍ବେର କାସ୍ପର ରଡ ଓ ରୁଷିଆର କାରେନ୍‌ ଖାଚାନୋଭଙ୍କ ମଧ୍ୟରେ ଖେଳାଯିବ।

Share