ମିଠା ଦୋକାନ ସିଲ୍‌ କଲା ପ୍ରଶାସନ: ପୋଲିସ-ଓକିଲ ମୁହାଁମୁହିଁ

ଗଞ୍ଜାମ,୩ା୫(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ଥିବା ଗଣେଶ ପଟ୍ଟନାୟକ ମିଠା ଦୋକାନକୁ ବୁଧବାର ଜିଲା ପୋଲିସ ପ୍ରଶାସନ ସିଲ୍‌ କରିଥିବା ଜଣାପଡ଼ିଛି। ଦୀର୍ଘ ମାସ ହେବ ଦୋକାନ ମାଲିକ ଓ ଘର ମାଲିକଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । ଉକ୍ତ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଘର ମାଲିକଙ୍କ ଅଭିଯୋଗ କ୍ରମେ ପୋଲିସ ୧୪୪ ଧାରା ଲାଗୁ କରିବା ସହ ଦୋକାନ ସିଲ୍‌ କରିଥିବା ଦେଖିବାକୁ ମିଳିଛି। ଦୋକାନ ସିଲ୍‌ ସମୟରେ ପୋଲିସ ଡାକବାଜି ଯନ୍ତ୍ର ସହାୟତାରେ ଦୋକାନ ମlଲିକଙ୍କୁ ଅଧଘଣ୍ଟା ମଧ୍ୟରେ ଦୋକାନ ଖାଲି କରିବାକୁ ଘୋଷଣା କରିଥିଲେ। ଏକ ନୋଟିସ ଦୋକାନ ଉପରେ ପୋଲିସ ଲଗାଇଥିଲା l କେହି ନ ଆସିବାରୁ ପୋଲିସ ବାଧ୍ୟ ହୋଇ ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର ଅରୁଣ କୁମାର ନାୟକ, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନଙ୍କ ଉପସ୍ଥିତିରେ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା, ମହିଳା ଏସ୍‌ଆଇ ସୁପ୍ରଭା ସାହୁ ପ୍ରମୁଖ ଦୋକାନ ଭିତର ପଟୁ ବନ୍ଦ ଥିବା ସଟର ବାହାର କରିଥିଲେ। ଦୋକାନ ମାଲିକ ଗଣେଶଙ୍କ ବଡ଼ ଭାଇ ଅନି ପଟ୍ଟନାୟକଙ୍କୁ ପୋଲିସ ଆଣି ତାଙ୍କ ଉପସ୍ଥିତିରେ ସଟର ଖୋଲା ଯାଇଥିଲା। ପରେ ଦୋକାନ ମାଲିକଙ୍କ ଭାଇ ତଥା ଓକିଲ ଦିଲ୍ଲୀପ କୁମାର ପଟ୍ଟନାୟକ ଆସି ଦୋକାନ ଭାଙ୍ଗିବାକୁ ଅର୍ଡର ଅଛି କି ବୋଲି ପୋଲିସକୁ ପ୍ରଶ୍ନ କରିଥିଲେ। ଯାହା ଫଳରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ମୁଁହାମୁଁହି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଦେଖା ଦେଇଥିଲା।

ପ୍ରକାଶ ଯୋଗ୍ୟ, କିଛି ଦିନ ତଳେ କିଛି ମହିଳା ଗଣେଶ ଦୋକାନରେ ପଶି ଦୋକାନ ସାମଗ୍ରୀ ସବୁ ରୋଡ୍‌ ଉପରକୁ ଫିଙ୍ଗି ଦେଇଥିବା ଗଞ୍ଜାମ ଥାନାରେ ଅଭିଯୋଗ ହୋଇଥିଲା। ଘର ମାଲିକ ଉକ୍ତ ମହିଳାଙ୍କୁ ୫ ଶହ ଟଙ୍କା ଦେଇ ଦୋକାନ ସାମଗ୍ରୀ ଫିଙ୍ଗାଫିଙ୍ଗି କରିବାକୁ ପ୍ରବର୍ତ୍ତାଇ ଥିବା ସେତେବେଳେ ଗଣେଶ ଅଭିଯୋଗ କରିଥିଲେ। ଅନ୍ୟପଟେ ପୋଲିସ ଦୋକାନ ମାଲିକଙ୍କୁ ଠେଲାପେଲା କରିବାରୁ ତାଙ୍କ ହାତରେ ଆଘାତ ଲାଗିଥିବା ଏବଂ ସେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ତାଙ୍କ ଭାଇ ତଥା ଓକିଲ ଦିଲ୍ଲୀପ ପଟ୍ଟନାୟକ ଅଭିଯୋଗ କରିଛନ୍ତି।