ସ୍ବାମ-ପିପିଳି ରାସ୍ତା ମରଣଯନ୍ତା

ପାଟଣା,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ପିପିଳିଆ ପୂର୍ତ୍ତ ବିଭାଗର ୧୦ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତା କାମ କରୁଥିବା ଠିକା ସଂସ୍ଥା ରାସ୍ତାରୁ ପିଚୁ ତାଡ଼ି ଅଧପନ୍ତରିଆ ଭାବେ ଛାଡ଼ି ଦେଇଛି। ଫଳରେ ମେଟାଲ ଉଠି ଦୈନିକ ଦୁର୍ଘଟଣା ଘଟୁଛି। ଧୂଳି ଉଡ଼ି ବାୟୂ ପ୍ରଦୂଷଣ ହେଉଥିଲେ ବି ପାଣି ସିଞ୍ଚନ କରାଯାଉନାହିଁ। ଏ ନେଇ ବାରମ୍ଭାର ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନା ଅନୁଯାୟୀ, ପାଟଣା ସ୍ବାମ ଛକରୁ ପିପିଳି ପର୍ଯ୍ୟନ୍ତ ୧୬ କି.ମି. ରାସ୍ତାରୁ ୧୦ କିମି ରାସ୍ତା ନିର୍ମାଣ ନିମନ୍ତେ ପୁର୍ତ୍ତ ବିଭାଗ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୭ କୋଟି ୮୦ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିଲା। କାର୍ଯ୍ୟ ଆରମ୍ଭ ୧୬ ଜୁଲାଇ ୨୦୨୧ ଥିବା ବେଳେ ଶେଷ ୨୫ ଜୁନ୍‌ ୨୦୨୨ ଥିଲା। ନିର୍ମାଣ ଅବଧି ସରିଯାଇଥିଲେ ବି କାର୍ଯ୍ୟ କରୁଥିବା ଠିକା ସଂସ୍ଥା ରାସ୍ତା କାର୍ଯ୍ୟ ସାରୁନାହିଁ। ରାସ୍ତାର ବିଭିନ୍ନ ସ୍ଥାନ ପିଚୁ ଛଡ଼ାଇ ଛାଡ଼ିଦେଇଥିବାରୁ ଲୋକେ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି। ଧୂଳି ଉଡୁଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ରାସ୍ତାରେ ପାଣି ସିଞ୍ଚନ କରାଯାଉନାହିଁ। ପୂର୍ତ୍ତ ବିଭାଗର ଘଟଗାଁ ଏସ୍‌ଡିଓ ମହେଶ୍ବର ସେଠୀଙ୍କୁ ପଚାରିବାରୁ ସମ୍ପୃକ୍ତ ଠିକାସଂସ୍ଥାକୁ ଶୀଘ୍ର କାର୍ଯ୍ୟ ସାରିବା ପାଇଁ ଚିଠି କରାଯାଇଛି ବୋଲି କହିଥିଲେ। ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା କହିଛନ୍ତି, ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶାଓ ନୋଟିସ୍‌ ଦିଆଯାଇଛି।