ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ, ସ୍ବାମୀ-ଦିଅର ଅଟକ

ଛତ୍ରପୁର,୨୮ା୬(ଡି.ଏନ୍‌.ଏ.): ଛତ୍ରପୁର ଥାନା ଅଧୀନ ବଳରାମପୁର ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ବଳରାମ ଦାସଙ୍କ ସ୍ତ୍ରୀ ଭାରତୀ। ସୋମବାର ମୃତଦେହକୁ ଛତ୍ରପୁର ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛି।
ଘଟଣା ସମ୍ପର୍କରେ ଖବର ପାଇ ଭାରତୀଙ୍କ ବାପା ଗୁରୁବାରିଆ ପ୍ରଧାନ ପହଞ୍ଚି ଝିଅକୁ ତଣ୍ଟି ଚିପି ଶାଶୁଘର ଲୋକେ ମାରି ଦେଇଥିବା ପୋଲିସ ଆଗରେ ଅଭିଯୋଗ କରି ଏତଲା ଦେଇଛନ୍ତି। ଅଧିକ ଯୌତୁକ ଦାବି କରି ଝିଅକୁ ନିର୍ଯାତନା ଦିଆଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ୩୧୦/୨୧ରେ ଏକ ମାମଲା ରୁଜୁ କରାଯାଇଛି। ଭାରତୀଙ୍କ ସ୍ବାମୀ, ଦିଅରଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରିରଖିଛି। ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିଛି।
ସୂଚନାଯୋଗ୍ୟ, ବର୍ଷକ ତଳେ ଟାଙ୍ଗଣାପଲି ଗ୍ରାମର ଗୁରୁବାରିଆ ପ୍ରଧାନଙ୍କ ସାନ ଝିଅ ଭାରତୀଙ୍କୁ ବଳରାମପୁର ଗ୍ରାମର ବିଜୟ ଦାସ ମଝିଆ ପୁଅ ବଳରାମ ପ୍ରେମ ବିବାହ କରିଥିଲେ।