ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର କୁଲୁ ବିଷୋୟୀଙ୍କ ଘରୁ ଶନିବାର ସକାଳେ ସନ୍ଦେହଜନକ ଅବସ୍ଥାରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଅଜିତ ବିଷୋୟୀ(୩୨)। ଶୁକ୍ରବାର ରାତିରେ ଦିଗପହଣ୍ଡିର ଦଣ୍ଡନାଚ ଦଳ ଗ୍ରାମରେ ନାଚ ପରିବେଷଣ କରିଥିଲେ। ଉକ୍ତ ନାଚ ଦଳରେ ଅଜିତ ଚିତ୍ତାକର୍ଷକ ଅଭିନୟ କରୁଥିଲେ। ଶୁକ୍ରବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ଦଣ୍ଡନାଚ ଦଳର କିଛି ସହକର୍ମୀଙ୍କ ସହ ତାଙ୍କ ଯୁକ୍ତିତର୍କ ହୋଇଥିଲା। ରାତିରେ ପ୍ରସାଦ ସେବନ ପରେ ଅଜିତ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ଦଣ୍ଡନାଚ ଦଳର ଅଭିନେତ୍ରୀଅଭିନେତାମାନେ ରହିଥିବା ଘରର ମାଲିକ କୁଲୁ ତାଙ୍କ ସାଇକେଲ ଆଣିବା ପାଇଁ ଶନିବାର ସକାଳେ ଯାଇଥିବା ବେଳେ ଅଜିତଙ୍କ ମୃତଦେହ ଘର ମଧ୍ୟରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଗ୍ରାମବାସୀଙ୍କୁ ଖବର ଦେବାପରେ ଦଣ୍ଡନାଚ ବନ୍ଦ କରାଯାଇଥିଲା। କୁଲୁଙ୍କ ଘର ସମ୍ମୁଖରେ ପ୍ରବଳ ଜନଗହଳି ହୋଇଥିଲା। ଦଣ୍ଡନାଚ ଅନୁଷ୍ଠାନର ମ୍ୟାନେଜର ଗୁଣନିଧି ପାଣିଗ୍ରାହୀ ଦିଗପହଣ୍ଡି ଥାନାରେ ଏନେଇ ଏତଲା ଦେବାପରେ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରିଥିଲେ।
ଅପମୃତ୍ୟୁ ମାମଲା ନଂ.୭/୨୫ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି।


