ସ୍ତ୍ରୀଙ୍କୁ ସନ୍ଦେହ କରି ସ୍ବାମୀଙ୍କ ଆକ୍ରମଣ

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଚରିତ୍ର ଉପରେ ସନ୍ଦେହ କରି ଶାଶୁଘରେ ପାରିବାରିକ ନିର୍ଯାତନା ସହ ଆକ୍ରମଣ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ହିଞ୍ଜିଳିକାଟୁ ଫାୟାର ଷ୍ଟେଶନ ରୋଡ୍‌ର ସୁମିତ୍ରା ନାୟକଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍‌ ନଂ ୨୧୩/୨୩ରେ ପୋଲିସ ସ୍ବାମୀ, ଶାଶୁ ଓ ନଣନ୍ଦଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

ପ୍ରକାଶ ଯେ, ୮ ବର୍ଷ ତଳେ ମ୍ୟୁନିସିପାଲିଟି ଅନ୍ତର୍ଗତ ନୂଆଗଡ଼ ଗ୍ରାମର ସୁମିତ୍ରା ଫାୟାର ଷ୍ଟେଶନ ରୋଡ୍‌ର ରଞ୍ଜନଙ୍କୁ ବିବାହ କରିଥିଲେ। ସେମାନଙ୍କ ୪ ବର୍ଷର ଝିଅ ଓ ବର୍ଷକର ଗୋଟିଏ ପୁଅ ଅଛନ୍ତି। ତେବେ ବିଭିନ୍ନ ସମୟରେ ସ୍ତ୍ରୀଙ୍କ ଉପରେ ସନ୍ଦେହ ପ୍ରକାଶ କରିବାରୁ ସୁମିତ୍ରା ବାପଘରକୁ ଦୀର୍ଘଦିନ ଧରି ଯାଉନାହାନ୍ତି। ବୁଧବାର ପୂର୍ବାହ୍ନରେ ଏକ ଫୋନ୍‌ କଲ୍‌ ସୁମିତ୍ରାଙ୍କ ମୋବାଇଲକୁ ଆସିଥିଲା। ତେବେ ଉକ୍ତ କଲ୍‌ ସୁମିତ୍ରା ଉଠାଇ ନ ଥିଲେ ମଧ୍ୟ ରଞ୍ଜନ ସନ୍ଦେହ କରି ସୁମିତ୍ରାଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିଥିଲେ। ଏହି ସମୟରେ ଶାଶୁ ଓ ନଣନ୍ଦ ମଧ୍ୟ ରଞ୍ଜନଙ୍କୁ ସମର୍ଥନ କରି ଜୀବନରେ ମାରିଦେବାକୁ ପ୍ରବର୍ତ୍ତାଇଥିଲେ। ପରେ ସେମାନେ ସୁମିତ୍ରାଙ୍କୁ ଘରୁ ବାହାରକୁ ଠେଲି ଦେଇଥିବା  ସୁମିତ୍ରା ହିଞ୍ଜିଳି ଥାନାରେ ଗୁରୁବାର ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା ପ୍ରକାଶ।