ସ୍ତ୍ରୀଙ୍କ ଚରିତ୍ର ସନ୍ଦେହ କରି କୋଦାଳ ବେଣ୍ଟରେ ପିଟିପିଟି ମାରିଲେ ସ୍ବାମୀ

ବଣାଇଁ,୨୯।୫(ସ୍ବ.ପ୍ର.): ସ୍ତ୍ରୀଙ୍କୁ କୋଦାଳ ବେଣ୍ଟରେ ପିଟିପିଟି ବର୍ବର ଭାବେ ହତ୍ୟା କଲେ ସ୍ବାମୀ । ହତ୍ୟା ପରେ ମୃତଦେହକୁ ଘରର ପଛପଟ ବାଡିରେ ପୋତିଦିଆଗଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ବାବୁନୂଆଗାଁ ଗ୍ରାମରେ। ବାବୁନୂଆଗାଁ ଗ୍ରାମର ତ୍ରିଲୋଚନ କିସାନ ତାଙ୍କ ସ୍ତ୍ରୀ ସରସ୍ବତୀ କିସାନତଙ୍କ ଚରିତ୍ରକୁ ନେଇ ଆକ୍ଷେପ କରିବା ପରେ ଝଗଡ଼ା ଆରମ୍ଭ ହୋଇଥିଲା । ପରେ ଉତ୍ୟକ୍ତ ହୋଇ ତ୍ରିଲୋଚନ ସ୍ତ୍ରୀଙ୍କୁ କୋଦାଳ ବେଣ୍ଟରେ ପିଟିପଟି ହତ୍ୟା କରିଥିଲେ। ପରେ ସ୍ତ୍ରୀର ମୃତ ଦେହକୁ ବିଳମ୍ବିତ ରାତିରେ ବାଡିରେ ଥିବା କଦଳୀ ଗଛ ମୂଳରେ ଗାତକାଲି ପୋତି ଦେଇ ଥିଲେ। ସୋମବାର ବଣାଇ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ମାଜିଷ୍ଟ୍ରେଟ ଓ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବାପରେ ମୃତଦେହ ମାଟିତଳୁ ଉଦ୍ଧାର କରାଯିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ପ୍ରାରମ୍ଭିକ ତଦନ୍ତରୁ ଝଗଡ଼ାର କାରଣ ସ୍ତ୍ରୀ ଚରିତ୍ରକୁ ନେଇ ସନ୍ଦେହ ବୋଲି ଜଣାପଡ଼ିଛି।