ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ ପରେ ଏହି ମାମଲାରେ CBI FIR ରୁଜୁ କରିଛି । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ CBI ଏହି ମାମଲା ରୁଜୁ କରିଥିବା ଜଣାପଡ଼ିଛି ।
ଦିଶାଙ୍କ ବାପା ସତୀଶ ସାଲିଆନଙ୍କ ବୟାନ ମଧ୍ୟ CBI ରେକର୍ଡ କରିଛି । ସେ ତାଙ୍କ ଓକିଲ ନିଲେଶ ଓଝାଙ୍କ ସହ CBI ନିକଟରେ ହାଜର ହୋଇଥିଲେ । ପ୍ରାୟ ୪ ଘଣ୍ଟା ଧରି ତାଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି। ସତୀଶ ସାଲିଆନ ତାଙ୍କ ବୟାନରେ ଝିଅ ଦିଶାଙ୍କ ସହ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ CBI ତଦନ୍ତ ଦାବି କରି ସେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨ ସେପ୍ଟେମ୍ବର ୨୦୨୬ରେ ହାଇକୋର୍ଟ CBIକୁ FIR ରୁଜୁ କରିବା ସହ ତଦନ୍ତ ପାଇଁ ଜଣେ ଅଭିଜ୍ଞ ଓ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ କହିଥିଲେ। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କାହାକୁ ଅଭିଯୁକ୍ତ ଭାବେ ବିବେଚନା ନକରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
FIRରେ ଶିବସେନା (UBT) ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପୁଅ ତଥା ନେତା ଆଦିତ୍ୟ ଠାକରେ, ଅଭିନେତା ଡିନୋ ମୋରିଆ ଓ ଅଭିନେତା ସୂରଜ ପାଞ୍ଚୋଲିଙ୍କ ନାଁ ଥିବା ରିପୋର୍ଟ ହୋଇଛି। ଏହି ତିନିଜଣଙ୍କ ଭୂମିକା ସମେତ ମାମଲାର ବିଭିନ୍ନ ଦିଗ CBI ତଦନ୍ତ କରିବ ବୋଲି ଜଣାପଡ଼ିଛି।
ଦିଶା ସାଲିଆନ ଜଣେ ସେଲିବ୍ରିଟି ମ୍ୟାନେଜର ଥିଲେ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ସହ ମଧ୍ୟ କାମ କରିଥିଲେ। ୮ ଜୁନ୍ ୨୦୨୦ରେ ମୁମ୍ବାଇର ମାଲାଡ ଅଞ୍ଚଳର ଏକ ଉଚ୍ଚ ଅଟ୍ଟାଳିକାରୁ ଖସି ପଡ଼ି ତାଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ମୁମ୍ବାଇ ପୋଲିସ ଏହାକୁ ଆକସ୍ମିକ ମୃତ୍ୟୁ ମାମଲା ଭାବେ ରୁଜୁ କରିଥିଲା। ପରବର୍ତ୍ତୀ ତଦନ୍ତରେ ଏହା ଆତ୍ମହତ୍ୟା ବୋଲି କୁହାଯାଇଥିଲା ଏବଂ କୌଣସି ଷଡ଼ଯନ୍ତ୍ର ନଥିବା ପୋଲିସ ପକ୍ଷରୁ କୁହାଯାଇଥିଲା।
ତେବେ ଦିଶାଙ୍କ ବାପା ଏହି ନିଷ୍କର୍ଷରେ ସନ୍ତୁଷ୍ଟ ନଥିଲେ। ଝିଅଙ୍କୁ ନ୍ୟାୟ ଦେବା ପାଇଁ ସେ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରଖିଥିଲେ। ଏବେ CBI ତଦନ୍ତ ଆରମ୍ଭ ହେବା ପରେ ମାମଲାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ନେଇ ଆଶା ବଢ଼ିଛି। ଅନ୍ୟପକ୍ଷରେ, ଆଦିତ୍ୟ ଠାକରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି । ଦିଶା ସାଲିଆନଙ୍କ ମୃତ୍ୟୁ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ କହିବା ସହ ତାଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ କରିଛନ୍ତି।
CBI ତଦନ୍ତ ଆଗକୁ ବଢ଼ିବା ସହ ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ରହିଥିବା ପ୍ରଶ୍ନର ଉତ୍ତର ମିଳିବ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର।

