ଭୁବନେଶ୍ୱର, ୧୪।୧୦: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ରାଶି ପରିବର୍ତ୍ତନର ମନୁଷ୍ୟ ଜୀବନ ଉପରେ ପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ। ଆସନ୍ତା ଅକ୍ଟୋବର ୧୭ ତାରିଖ ସନ୍ଧ୍ୟା ୭ଟା ୪୫ ମିନିଟରେ ସୂର୍ଯ୍ୟ ତୁଳା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷୀୟ ମତ ଅନୁସାରେ, ତୁଳା ରାଶିରେ ସୂର୍ଯ୍ୟ ନୀଚସ୍ଥ ହୋଇଥାଆନ୍ତି। ତେଣୁ ଏହି ଗୋଚର କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ଆହ୍ବାନପୂର୍ଣ୍ଣ ହୋଇପାରେ।
ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନସମ୍ମାନ, ନେତୃତ୍ୱ କ୍ଷମତା, ପଦ ଓ ପ୍ରତିଷ୍ଠାର କାରକ ଗ୍ରହ ଭାବେ ବିବେଚନା କରାଯାଏ। ତେଣୁ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଯୋଗୁ କିଛି ଲୋକଙ୍କୁ କର୍ମକ୍ଷେତ୍ର, ଆର୍ଥିକ ସ୍ଥିତି ଓ ବ୍ୟକ୍ତିଗତ ଜୀବନରେ ସତର୍କ ରହିବାକୁ ପଡ଼ିପାରେ। ତେବେ କେଉଁ ୩ଟି ରାଶିର ବ୍ୟକ୍ତିମାନେ ଅଧିକ ସାବଧାନ ରହିବା ଆବଶ୍ୟକ, ଜାଣନ୍ତୁ।
ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ତୁଳା ରାଶିକୁ ଗୋଚର କେତେକ କ୍ଷେତ୍ରରେ ଚ୍ୟାଲେଞ୍ଜ ବଢ଼ାଇପାରେ। ଅଧୁରା କାମ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବା କିମ୍ବା ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ ନ ହେବାରୁ ଚାପ ଅନୁଭବ କରିପାରନ୍ତି। ଛୋଟଛୋଟ କଥାକୁ ନେଇ ଅଧିକ ଚିନ୍ତା ସ୍ବାସ୍ଥ୍ୟ ଓ ବିଶ୍ରାମ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।
କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ଗୋଚର ସମ୍ପର୍କ ଓ ଆର୍ଥିକ କ୍ଷେତ୍ରରେ କିଛି ଚିନ୍ତା ବଢ଼ାଇପାରେ। ଛୋଟଛୋଟ କଥାକୁ ନେଇ ମନ ଅଶାନ୍ତ ରହିପାରେ। ନିକଟ ସମ୍ପର୍କୀୟ କିମ୍ବା ପ୍ରିୟଜନଙ୍କ ସହ ମତଭେଦ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଧୈର୍ଯ୍ୟ ରଖିବା ସହ ଅନାବଶ୍ୟକ ଚିନ୍ତାରୁ ଦୂରେଇ ରହିବା ଭଲ। ଆର୍ଥିକ କାରବାର ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଏଥିସହ ନିଜ ସ୍ବାସ୍ଥ୍ୟକୁ ଅଣଦେଖା ନ କରିବାକୁ ପରାମର୍ଶ ଦିଆଯାଇଛି।
ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ତୁଳା ରାଶିକୁ ଗୋଚର ଅଧିକ ପରିଶ୍ରମର ସମୟ ଆଣିପାରେ। କାମ ପୂରା କରିବା ପାଇଁ ଅଧିକ ସମୟ ଓ ପ୍ରୟାସ ଦେବାକୁ ପଡ଼ିପାରେ। ପରିଶ୍ରମ ଅନୁସାରେ ଫଳ ମିଳିବାରେ ବିଳମ୍ବ ହେଉଥିବା ଭଳି ଅନୁଭବ ହୋଇପାରେ। ଏହାସହ କାହାଠାରୁ ପାଇବାକୁ ଥିବା ଟଙ୍କା ମିଳିବାରେ ବିଳମ୍ବ ହେଲେ ଆର୍ଥିକ ଯୋଜନା ପ୍ରଭାବିତ ହୋଇପାରେ। କୌଣସି ବଡ଼ ଖର୍ଚ୍ଚ କିମ୍ବା ଦାମୀ ଜିନିଷ କିଣିବା ପୂର୍ବରୁ ସମସ୍ତ ଦିଗକୁ ଭଲଭାବେ ବିଚାର କରନ୍ତୁ।