ଲୋକଙ୍କ ଅଭିଯୋଗ ଶୁଣୁନି ଯୋଗାଣ ବିଭାଗ : ଗଞ୍ଜାମରେ ୮୨୦ ମାମଲା ପେଣ୍ଡିଂ

ଛତ୍ରପୁର,୧୬।୧(ଡି.ଏନ୍‌.ଏ): ଯୋଗାଣ ସମ୍ବନ୍ଧୀୟ ଲୋକଙ୍କ ଅଭିଯୋଗ ଓ ସମସ୍ୟା ଜାଣିବା ଏବଂ ଏହାର ସମାଧାନ କରିବା ଲାଗି ରାଜ୍ୟ ସରକାର ଜିଆରଏସ ପୋର୍ଟାଲର ବ୍ୟବସ୍ଥା କରିଛନ୍ତି । ଫଳରେ ଜନସାଧାରଣ ଉକ୍ତ ପୋର୍ଟାଲ ଜରିଆରେ ଅନଲାଇନ୍‌ରେ ନିଜର ରାଶନକାର୍ଡ, ଧାନ, ସାର ବିକ୍ରି ଏବଂ ଅନ୍ୟାନ୍ୟ ଯୋଗାଣ ବିଭାଗର ସେବା ସମ୍ପର୍କରେ ନିଜ ନିଜର ଅଭିଯୋଗ ଓ ସମସ୍ୟା ଜଣାଇପାରୁଛନ୍ତି। ତେବେ ଏହାର ପ୍ରକୃତ ଉଦ୍ଦେଶ୍ୟ ଗଞ୍ଜାମ ଜିଲାରେ ସାଧନ ହୋଇପାରୁନ ଥିବା ଦେଖିବାକୁ ମିଳିଛ। ବାରମ୍ବାର ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ରିମାଇଣ୍ଡର ଜିଲା ଯୋଗାଣ ଅଧିକାରୀଙ୍କୁ ଆସିଛି । ମାତ୍ର ଏବେ ବି ଜନସାଧାରଣଙ୍କ ୮୨୦ ଅଭିଯୋଗର ସମାଧାନ ନହୋଇ ପେଣ୍ଡିଂ ରହିଛି । ଏଗୁଡିକର ସମାଧାନ ପାଇଁ ପୁଣି ରାଜ୍ୟ ଯେଗାଣ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଜିଲା ଯୋଗାଣ ଅଧିକାରୀଙ୍କ ନିକଟକୁ ଚିଠି ଆସିଛି। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିବା ପାଇଁ ମଧ୍ୟ ଚିଠି ଆସିଥିବା ଜଣାଯାଇଛି । ଏତେ ସଂଖ୍ୟକ ଅଭିଯୋଗ ମାମଲାର ସମାଧାନ ହୋଇ ନ ଥିବାରୁ ଯୋଗାଣ ମନ୍ତ୍ରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ଶୀଘ୍ର ଏଗୁଡିକର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଉକ୍ତ ଚିଠିରେ ଉଲ୍ଲେଖ ରହିଛି ।