Categories: ଖେଳ

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ସନରାଇଜର୍ସ

ହାଇଦ୍ରାବାଦ,୯ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଲଗାତାର ୨ଟି ମ୍ୟାଚରେ ପରାଜିତ ହୋଇଥିବା ସନରାଇଜର୍ସ ହାଇଦ୍ରାବାଦ ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ସହ ଟୁର୍ନାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟ ରଖିଛି। ଦଳ ଗତ ଦୁଇଟି ସଂସ୍କରଣରେ ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଥିଲା। ଏଥର ବିଜୟ ସହ ଆରମ୍ଭ କରିବ ବୋଲି ଯୋଜନା କରିଥିଲା। ହେଲେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ଦୁଇଟି ମ୍ୟାଚରେ ସନରାଇଜର୍ସ ପରାଜିତ ହୋଇଛି।

ସନରାଇଜର୍ସରେ ଭଲ ଖେଳାଳି ଥାଇ ମଧ୍ୟ ଲାଗାତାର ବ୍ୟାଟିଂରେ ଖରାପ ପ୍ରଦର୍ଶନ କରି ଆସୁଛନ୍ତି। ଗତ ଦୁଇଟି ମ୍ୟାଚରେ ୧୩୧ ଓ ୧୨୧ ରନ କରି ଦଳ ଅଟକି ଯାଇଥିଲା। ଅଧିନାୟକ ଏଡେନ୍‌ ମାରକ୍ରମ ମଧ୍ୟ ଦଳକୁ ଫେରିଥିଲେ ମଧ୍ୟ ପ୍ରଥମ ମ୍ୟାଚରେ ସେ ଖାତା ଖେଳିପାର ନ ଥିଲେ।

ଅନ୍ୟପକ୍ଷେ ଅବ୍‌ଦୁଲ ସମଦଙ୍କ ଯୋଗୁ ଦୁଇଟି ମ୍ୟାଚରେ ଦଳ ସମ୍ମାନଜନକ ସ୍କୋର କରିପାରିଥିଲା। ବିସ୍ଫୋରକ ବ୍ୟାଟର ହେନ୍‌ରିଚ୍‌ କ୍ଲାସେନ ଏପର୍ଯ୍ୟନ୍ତ ତାଙ୍କ କମାଲ ଦେଖାଇ ନାହାନ୍ତି। ଆଗାମୀ ମ୍ୟାଚରେ ଦଳର ବ୍ୟାଟିଂ କମ୍ବିନେଶନ କ’ଣ ରହୁଛି ତାହା ଉପରେ ଖେଳପ୍ରେମୀଙ୍କ ନଜର ରହିବ। ଅନ୍ୟପକ୍ଷେ ପଞ୍ଜାବ ଗତ ଦୁଇଟି ମ୍ୟାଚରେ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ବିଜୟୀ ଲାଭ କରିପାରିଛି। ଅଭିଜ୍ଞ ଖେଳାଳି ଶିଖର ଧାଓ୍ବନ ଦଳର ନେତୃତ୍ୱ ନେଉଛନ୍ତି।

Share