୪ ଦଫା ଦାବି ନେଇ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ସୁନ୍ଦରଗଡ଼ ବନ୍ଦ ପାଳନ

ସୁନ୍ଦରଗଡ଼,୧୭ା୯(ଡି.ଏନ୍‌.ଏ.): ୪ ଦଫା ଦାବି ନେଇ ଗୁରୁବାର ବନ୍ଦ ଡାକରା ଦେଇଥିବା ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ଶୁକ୍ରବାର ସୁନ୍ଦରଗଡ଼ ସହରକୁ ପ୍ରବେଶ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରିବା ସହ ୧୦ ନମ୍ବର ରାଜ୍ୟ ରାଜପଥ ରାଉରକେଲା-ସମ୍ବଲପୁର ରାସ୍ତାକୁ ମଧ୍ୟ ଅବରୋଧ କରି ରଖିଛନ୍ତି। ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ସୁନ୍ଦରଗଡ଼କୁ ଆସିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ଥିବାରୁ ଏହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ସମସ୍ତ ଧାରଣାସ୍ଥଳ ଏବଂ ସହରର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଛି। ଏହି ବନ୍ଦକୁ ସମର୍ଥନ କରି ବିଭିନ୍ନ ବ୍ୟବସାୟିକ ସଂଗଠନ, ଦୋକାନ ବଜାର ସକାଳୁ ବନ୍ଦ ଥିବା ଦେଖିବାକୁ ମିଳିଛି। ଅତିଜରୁରୀ ସାମଗ୍ରୀ, ଔଷଧ ଦୋକାନ ଖୋଲା ରହିଛି, ଏପରିକି ମୋଟରସାଇକଲ ଏବଂ ଆମ୍ବୁଲାନ୍ସକୁ ସବୁସ୍ଥାନରେ ଛଡ଼ା ଯାଉଥିବା ଦେଖିବାକୁ ମିଳିଛି। ସରକାରୀ ଭଡ଼ା ବୃଦ୍ଧି, ବେଆଇନ ଭାବେ ଚାଲାଣରୁ କଟା ଯାଉଥିବା ଟଙ୍କା, ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂକୁ ଜିଲାପାଳ ନିକଟରେ ଦାବି ଜଣାଇଥିଲେ, ସ୍ଥାନୀୟ ପ୍ରଶାସନର କୌଣସି ସହଯୋଗ ନ ମିଳିବାରୁ ଆଜି ବନ୍ଦ ପାଳନ କରାଯାଇଛି ବୋଲି ଟ୍ରକ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ବିଜୁ ଏକ୍ସପ୍ରେସ ହାଇଓ୍ବେ ଉପରେ ଶହଶହ ଗାଡ଼ି ଠିଆ ହୋଇଥିବା ଦେଖିବାକୁ ମିଳିଛି।