ବିକାଶ ଧାରାରେ ଯୋଡ଼ି ହୋଇଛି ସୁନ୍ଦରଗଡ଼: ମନ୍ତ୍ରୀ

ସୁନ୍ଦରଗଡ଼,୧୬।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ୭୬ତମ ଜିଲାସ୍ତରୀୟ ସ୍ବଧୀନତା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଦେଶ ତଥା ରାଜ୍ୟର ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ସୁନ୍ଦରଗଡ଼ ଜିଲା ସଂଗ୍ରାମୀମାନଙ୍କ ଅବଦାନକୁ ମନ୍ତ୍ରୀ ମନେ ପକାଇଥିଲେ।

ଦେଶ ସ୍ବାଧୀନତାର ୭୫ ବର୍ଷ ଅତିକ୍ରମ କରିଛି। ଏହାକୁ ଆମେ ସ୍ବାଧୀନତାର ଅମୃତ ମହୋତ୍ସବ ଭାବେ ପାଳନ କରୁଛୁ। ଜନସାଧାରଣଙ୍କ ଉଦ୍ୟମ ଯୋଗୁ ଦେଶ ସ୍ବତନ୍ତ୍ର ପରିଚୟ ପାଇପାରିଛି। ୭୫ ବର୍ଷ ଭିତରେ ଭାରତ ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛି। ଏହି ଧାରାକୁ ଆହୁରି ଆଗକୁ ନେବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶର ଧାରା ଜାରି ରହିଛି। ସୁନ୍ଦରଗଡ଼ ମଧ୍ୟ ଏହି ଧାରାରେ ଯୋଡି ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ବୈଷୟିକ ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗ ବିକାଶ, ଗମନାଗମନ ଏବଂ କ୍ରୀଡ଼ା ଆଦି କ୍ଷେତ୍ରରେ ସୁନ୍ଦରଗଡ଼ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି ବୋଲି ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ। ସମାରୋହରେ ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଏସ୍‌ପି ସାଗରିକା ନାଥ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଶିବ ଶଙ୍କର ଟପ୍ପୋ, ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ।