ସୁନା ଅଳଙ୍କାରରେ ଝଲସିଲେ ଶ୍ରୀଶ୍ରୀ ବଳଦେବଜୀଉ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରର ଆରାଧ୍ୟଦେବ ଶ୍ରୀ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମନ୍ଦିରକୁ ବୁଧବାର ପ୍ରଭୁ ବାହୁଡିବା ପରେ ଶ୍ରୀଜିଉ ମନ୍ଦିରକୁ ଯିବା ପୂର୍ବରୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ହଜାର ହଜାର ସଂଖ୍ୟାରେ ଭକ୍ତ ଦୂରଦୂରାନ୍ତରୁ ଆସି ଶ୍ରୀଜିଉଙ୍କୁ ସୁନାରେ ସୁସଜ୍ଜିତ ବେଶ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଛନ୍ତି।

ଏହି ସୁନାବେଶକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବା ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଜିଲା, ପୋଲିସ ଏବଂ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଅପରାହ୍ନ ୪ଟାରୁ ଭକ୍ତମାନଙ୍କର ଦର୍ଶନ ପାଇଁ ଖୋଲାଯାଇଥିଲା। ରଥ ଉପରକୁ ଯାଇ ଦର୍ଶନ କରିବା ବାରଣ କରାଯାଇଥିଲା। ଏଣୁ ସୁରକ୍ଷା ଦୃଷ୍ଟିକୋଣରୁ ଏବଂ ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ ପାଇଁ ରଥ ଚାରିପଟେ ବ୍ୟାରିକେଡ କରାଯାଇ ଦୂରରୁ ଭକ୍ତମାନଙ୍କ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା। ମନ୍ଦିରର ପୂଜକ ଓ ଶ୍ରୀ ଜୀଉଙ୍କ ସେବକମାନେ ସୁନାବେଶ କରାଇଥିଲେ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ କେନ୍ଦୁଝର ଶାଖାର ଲକରରୁ ସୁନାଗହଣା କଡ଼ା ସୁରକ୍ଷା ମଧ୍ୟରେ ବଡ଼ଦାଣ୍ଡକୁ ନିଆଯାଇଥିଲା। ଠାକୁରଙ୍କର ୬୩ ପ୍ରକାରର ସୁନା ଗହଣା ରହିଥିବା ବେଳେ ୧୩ ପ୍ରକାରର ଅଳଙ୍କାରରେ ପ୍ରଭୁଙ୍କୁ ଆଭୂଷିତ କରାଯାଇଛି।