ବନ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ବାରିପଦା ଅଫିସ,୧୨।୧୨: ବାରିପଦା ହାତୀ ଶିକାର ଘଟଣାକୁ ନେଇ ତିନି ଜଣ ବନ କର୍ମଚାରୀ ନିଲମ୍ବିତ ହେବା ଘଟଣା ପରେ ପୁଣି ଚର୍ଚ୍ଚା ଘେରକୁ ଆସିଛି ଶିମିଳିପାଳ। ଉକ୍ତ ଜେନାବିଲ ରେଞ୍ଜର ଜଣେ ବନ କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ବ୍ୟାଘ୍ର ସୁରକ୍ଷା ବଳର କର୍ମଚାରୀ ତୁରାମ ପୂର୍ତ୍ତି। ସୂଚନାନୁଯାୟୀ, ଜେନାବିଲ ରେଞ୍ଜର ବନ ବିଭାଗ କର୍ମଚାରୀ ତୁରାମ ପୂର୍ତ୍ତି ରବିବାର ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଖବର ଜାଣିବା ପରେ ପରିବାର ଲୋକ ପ୍ରଥମେ ଯଶିପୁର ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ବିଷ ପିଇବା କାରଣ ଅସ୍ପଷ୍ଟ ରହିଛି। ସୂଚନା ମୁତାବକ ହାତୀ ମୃତ୍ୟୁ ଓ ପ୍ରମାଣ ନଷ୍ଟ ଘଟଣା ପ୍ରଘଟକୁ ସନ୍ଦେହ କରି ନିଲମ୍ବିତ ଉପରିସ୍ଥ କର୍ମଚାରୀ ଜଣକ ଗାଳି ଗୁଲଜ କରିବାକୁ ନେଇ ତୁରାମ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ଉକ୍ତ ଘଟଣାର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ ଟି ଅଶୋକ କୁମାର ତଦନ୍ତ ଜାରି ରଖିଛନ୍ତି।