ଚିନି ଦର ବଢ଼ିବା ଭିତରେ ସରକାର ନେଲେ ବଡ଼ ନିଷ୍ପତ୍ତି, ୨ ମାସ ଭିତରେ…

ନୂଆଦିଲ୍ଲୀ,୨୫ା୮: ଦେଶରେ ଚିନିର ବଢ଼ୁଥିବା ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆମଦାନୀ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଛନ୍ତି । ଏବେ ଟାରିଫ୍ ରେଟ୍ କୋଟା (TRQ) ଅଧୀନରେ ବିଦେଶରୁ ଆସୁଥିବା ଚିନିକୁ ଦେଶରେ ରିଫାଇନ୍ କରି ବଜାରରେ ବିକ୍ରି କରିବାକୁ ପଡ଼ିବ।

ନୂଆ ନିୟମ ଅନୁସାରେ, ଆମଦାନୀ ହୋଇଥିବା ଚିନିକୁ ବିଲ୍ ଅଫ୍ ଏଣ୍ଟ୍ରି ତାରିଖଠାରୁ ୬୦ ଦିନ ମଧ୍ୟରେ ପ୍ରୋସେସ୍ କରି ରିଫାଇନ୍ ଚିନିରେ ପରିଣତ କରି ବଜାରକୁ ଆଣିବାକୁ ହେବ । ଏହା ଦ୍ୱାରା ଆମଦାନୀ ଚିନିକୁ ଦୀର୍ଘ ସମୟ ଗୋଦାମରେ ରଖି କଳାବଜାର କରିବା ଉପରେ ରୋକ ଲଗାଇବା ସହ ବଜାରରେ ଯୋଗାଣ ବଢ଼ାଇବାରେ ସହାୟତା ମିଳିବ। ଚିନି ଦର ବୃଦ୍ଧି ମଧ୍ୟରେ ସରକାର ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ୧୦ ଲକ୍ଷ ଟନ୍ ଚିନି ଆମଦାନୀକୁ ଅନୁମତି ଦେଇଛନ୍ତି।

ବ୍ୟବସାୟୀ ଏବଂ ବଡ଼ ଚିନି ଉପଭୋକ୍ତା, ଯେପରିକି ସଫ୍ଟ ଡ୍ରିଙ୍କ୍ ଓ ଆଇସକ୍ରିମ୍ ନିର୍ମାତା କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ଚିନି ଷ୍ଟକ୍ ରଖିବାର ସୀମା ଧାର୍ଯ୍ୟ କରାଯାଇଛି। କଳାବଜାରୀ ଉପରେ ନଜର ରଖିବାକୁ ରାଜ୍ୟଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଚିନି ଶିଳ୍ପ ସଂଗଠନ ISMA ଅନୁସାରେ, ଦେଶରେ ବର୍ତ୍ତମାନ ଚିନିର ଅଭାବ ନାହିଁ। ଚଳିତ ଉତ୍ପାଦନ ଓ ପୁରୁଣା ଷ୍ଟକ୍ ମିଶାଇ ଦେଶର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ଚିନି ରହିଛି। ସରକାରଙ୍କ ନୂଆ ପଦକ୍ଷେପ ପରେ ବଜାରରେ ଯୋଗାଣ ବଢ଼ିବା ସହ ଖୁଚୁରା ଦର ଉପରେ ଚାପ ମଧ୍ୟ କମିବ ବୋଲି ଆଶା କରାଯାଉଛି।

ଏହି ସିଜନରେ ଇଥାନଲ୍ ଉତ୍ପାଦନରେ ଚିନି ବ୍ୟବହାର ପରେ ନେଟ୍ ଚିନି ଉତ୍ପାଦନ ପ୍ରାୟ ୨୭୯ ଲକ୍ଷ ଟନ୍ ରହିବାର ଅନୁମାନ ରହିଛି। ଏହା ସହ ପ୍ରାରମ୍ଭିକ ଷ୍ଟକ୍ ପ୍ରାୟ ୫୦ ଲକ୍ଷ ଟନ୍ ଥିଲା ଏବଂ ଦେଶର ବାର୍ଷିକ ଚିନି ଚାହିଦା ପ୍ରାୟ ୨୮୦-୨୮୫ ଲକ୍ଷ ଟନ୍। ତେବେ ୨୦୨୫-୨୬ ସିଜନର ଚିନି ଉତ୍ପାଦନ ଅନୁମାନକୁ ପୂର୍ବରୁ ଥିବା ୩୪୩ ଲକ୍ଷ ଟନ୍‌ରୁ କମାଇ ୩୦୬ ଲକ୍ଷ ଟନ୍ କରାଯାଇଛି । ଆଖୁ ଫସଲରେ ପୋକ ଏବଂ ଅଧିକ ବର୍ଷା ଯୋଗୁଁ ଜମିରେ ପାଣି ଜମିବାକୁ ଉତ୍ପାଦନ କମିବାର ପ୍ରମୁଖ କାରଣ ବୋଲି ଧରାଯାଉଛି ।

 

Dharitri – Odisha’s No.1 Odia Daily

Share