୩ ମାସ ପଟ ପରିବର୍ତ୍ତନ ପାଇଁ ଯଥେଷ୍ଟ: ମୋକିମ

କଟକ,୨୪।୧(ଶିଳ୍ପା ପ୍ରିୟଦର୍ଶିନୀ): କଂଗ୍ରେସ ନେତା ତଥା ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ହଟିବା ପରେ ଖୁସି ପ୍ରକାଶ କରିଛନ୍ତି ବିଧାୟକ ମୋକିମ। ଏନେଇ ଶେଲ୍‌ଟର ଛକସ୍ଥିତ କଂଗ୍ରେସ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ କହିଛନ୍ତି, ନିଲମ୍ବନ ହଟାଇଥିବାରୁ ସର୍ବପ୍ରଥମେ ଦଳର ହାଇକମାଣ୍ଡଙ୍କୁ ଧନ୍ୟବାଦ ଜଣାଉଛି। ଦଳରୁ ନିଲମ୍ବିତ ହେବା ପରେ ମଧ୍ୟ କୌଣସି ଭାବେ ଦଳକୁ ଛାଡ଼ି ନ ଥିଲେ। ଦଳ ପ୍ରତି ଦୁର୍ବଳତା ପୂର୍ବପରି ରହିଛି। ଦଳକୁ ସୁଦୃଢ଼ କରିବା ନେଇ ସମସ୍ତ କାର୍ଯ୍ୟ ଜାରି ରଖିଛି। ସୋମବାର ସବୁ ବିଷୟରେ ପ୍ରଭାରୀଙ୍କ ସହ ଭୁବନେଶ୍ୱରଠାରେ ସେ ଆଲୋଚନା କରିଛନ୍ତି। କିପରି ଭାବେ ଦଳକୁ ଅଧିକ ସୁଦୃଢ଼ କରାଯିବ, କେଉଁମାନଙ୍କୁ ଦଳକୁ ଅଣାଯିବ ସେ ସମ୍ପର୍କର ଆଲୋଚନା କରାଯାଇଛି। ଯେଉଁ କର୍ମୀ କଂଗ୍ରେସ ଛାଡ଼ି ଭାଜପା ଓ କୌଣସି ଦଳକୁ ଯାଇ ନାହାନ୍ତି ସେମାନେ ଖୁବ୍‌ଶୀଘ୍ର ଦଳକୁ ଫେରିବେ ବୋଲି ମୋକିମ୍‌ କହିଛନ୍ତି। ଗତ ପାଞ୍ଚ ବର୍ଷ ପୂର୍ବରୁ ଠିକ୍‌ ଏପ୍ରିଲରେ ନିର୍ବାଚନ ହୋଇଥିଲା ଓ ଏବେ ନିର୍ବାଚନକୁ ଆଉ ତିନି ମାସ ସମୟ ରହିଛି। ଏହି ତିନି ମାସ ରାଜ୍ୟରେ ପଟ ପରିବର୍ତ୍ତନ କରିବା ପାଇଁ ଯଥେଷ୍ଟ ସମୟ ବୋଲି ମୋକିମ କହିଛନ୍ତି। ପୂର୍ବରୁ ଏହି କଥାକୁ କଂଗ୍ରେସ କଟକରେ ସତରେ ପରିଣତ କରି ଦେଖାଇଛି। ଭାଜପାର ସ୍ଥିତି ଓଡ଼ିଶାରେ ରହିନାହିଁ। କିଛି ବିଦ୍ରୋହୀ କଂଗ୍ରେସ ଲୋକଙ୍କୁ ନେଇ ଛିଡ଼ା ହୋଇଛି ଭାଜପା। ତେଣୁ ସେ କର୍ମୀ କଂଗ୍ରେସ ପରିବାରକୁ ଫେରିବେ, ତେବେ ଲଢ଼େଇ ବିଜୁ ଜନତା ଦଳ ସହ ହେବ ଏବଂ ତାହା ନିର୍ଣ୍ଣାୟକ ହେବ ବୋଲି ବିଧାୟକ କହିଛନ୍ତି। ବିଜେଡି ଓ ଭାଜପା ଧର୍ମକୁ ନେଇ ରାଜନୀତି କରୁଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଗଣମାଧ୍ୟମର ପ୍ରଶ୍ନରେ ବିଧାୟକ ମୋକିମ କହିଛନ୍ତି ଯେ, କଂଗ୍ରେସ ସବୁ ଧର୍ମ ଓ ଜାତିକୁ ବିଶ୍ୱାସ କରେ, ଆମ୍ବେଡକରଙ୍କ ସମ୍ବିଧାନ ଅନୁସାରେ କଂଗ୍ରେସ ଭାରତବର୍ଷକୁ ସୁଶାସନ ଦେଇଥିଲା। ସେହି ସମ୍ବିଧାନ ଅନୁସାରେ ସମସ୍ତଙ୍କୁ ନେଇ କଂଗ୍ରେସ ଦଳ ନିଜ କାଯର୍‌ୟ କରିବ। ଧର୍ମଭିତ୍ତିକ ରାଜନୀତିକୁ କଂଗ୍ରେସ କେବେ ବି ପ୍ରଶ୍ରୟ ଦେଇ ନାହିଁ ଓ ଆଗାମୀ ଦିନରେ ମଧ୍ୟ ଦେବ ନାହିଁ। ସ୍ଥିତି ନିହାତି ବଦଳିବ ବୋଲି ସେ କହିଛନ୍ତି। ତେବେ ନିଲମ୍ବନ ପରେ ଚର୍ଚ୍ଚା ହେଉଥିଲା ସେ ଅନ୍ୟ ଦଳରେ ଯୋଗ ଦେବେ। କିନ୍ତୁ ତାହା କେବଳ ଅନୁମାନ କରିବାର ବିଷୟ ରହିଥିଲା। ଦୃଢ଼ ମନା ହୋଇ ସେ ନିଜ ଜାଗାରେ ରହିଥିଲେ ଏବଂ ଦଳ ସହ ଜଡ଼ିତ ରହି କାର୍ଯ୍ୟ କରୁଥିଲେ ବୋଲି ମୋକିମ କହିଛନ୍ତି।