ଭୁବନେଶ୍ୱର, ୯ା୨ (ବନ୍ଦନା ସେଠୀ):ରାଜ୍ୟରେ ହଠାତ୍ ପାରଦ ତଳମୁହାଁ ହୋଇଛି। ଫଳରେ ଏବେ ରାତିରେ ଶୀତ ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି। ସେହିଭଳି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୫ରୁ ୬ ଡିଗ୍ରୀ ସେଲ୍ସିୟସ କମ୍ ଏବଂ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୩ ରୁ ୪ ଡିଗ୍ରୀ କମ୍ ରହିଛି। ଗତ ୨୪ ଘଣ୍ଟାରେ ୬ଟି ଅଞ୍ଚଳର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ଓ ପାରଳାଖେମୁଣ୍ଡିରେ ସର୍ବାଧିକ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ତେବେ ଆସନ୍ତା ୪/ ୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବା ନେଇ ପୂର୍ବାନୁମାନ କରାଯାଇଛି। ସୋମବାର ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କଟକ, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତ୍ସିଂହପୁର ଜିଲାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ। ସେହିପରି ମଙ୍ଗଳବାର ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଏବଂ ବୁଧବାର ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲାରେ କୁହୁଡ଼ି ଦେଖାଦେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Dharitri – Odisha’s No.1 Odia Daily

