କର୍ମଚାରୀମାନଙ୍କୁ ଅଚାନକ ଛଟେଇ

କୁଆଁରମୁଣ୍ଡା,୩୦।୧୨(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କୁଆଁରମୁଣ୍ଡା ଚଦ୍ରିହରିହରପୁରରେ ଥିବା ଆଧୁନିକ ମେଟାଲିକ୍ସ କାରଖାନା ଦୁର୍ଦ୍ଦିନ ମଧ୍ୟଦେଇ ଗତି କରୁଥିଲାବେଳେ ୨୦୨୦ ମସିହାରେ ଲିବର୍ଟି ନାମକ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀ ଏହାକୁ ଅଧିଗ୍ରହଣ କରିଥିଲା। ଲିବର୍ଟି ହାଉସ ଏହି କାରଖାନାକୁ ଅଧିଗ୍ରହଣ କଲା ପରେ ଶ୍ରମିକ, କର୍ମଚାରୀମାନେ ଖୁସି ହେବା ସହ ଏହାର ଅଧିକାରୀମାନଙ୍କୁ ବାଜା ବଜାଇ ଭବ୍ୟ ସ୍ବାଗତ କରିଥିଲେ। ହେଲେ ଏହି ଖୁସି ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ଗତ ମଙ୍ଗଳବାର ହଠାତ୍‌ କାରଖାନା କର୍ତ୍ତୃପକ୍ଷ ୭୯ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ବିନା ନୋଟିସରେ ବିଦା କରିବା ସହ ଏକକାଳୀନ ମାତ୍ର ୨ ବର୍ଷର ଅନୁକମ୍ପାମୂଳକ ସହାୟତା ଓ ୩ ମାସର ଆଗୁଆ ଦରମା ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦେଇଛି। ଏହାକୁ କର୍ମଚାରୀମାନେ ସହଜରେ ଗ୍ରହଣ କରିପାରି ନ ଥିବା ବେଳେ ସେମାନଙ୍କ ଦୁଃଖ ଶୁଣିବାକୁ ନିକଟରେ ବିଜୟୀ ଶ୍ରମିକ ସଙ୍ଗଠନକୁ ମଧ୍ୟ କାରଖାନା କର୍ତ୍ତୃପକ୍ଷ ଭିତିରି ଯୋଜନା କରି ଫାଳଫାଳ କରିବାରେ ସଫଳ ହୋଇଛନ୍ତି। ଫଳରେ ଛଟେଇ କର୍ମଚାରୀ ଅନ୍ୟ କୌଣସି ମାଧ୍ୟମ ନ ପାଇ କାରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କ ଦୁଃଖ ଜିଲା ପ୍ରଶାସନ ଶୁଣିବାକୁ ସେମାନେ ଗୁହାରି କରୁଥିବାବେଳେ ଭାଙ୍ଗିଯାଇଥିବା ଶ୍ରମିକ ସଙ୍ଗଠନର ନେତା ଶରତ ତନ୍ତୀ, ରାଜେଶ କେରକେଟା, ସନ୍ଦୀପ ମିଶ୍ର, ପୂର୍ବତନ ବିଧାୟକ ନିହାର ସୁରିଁନ, ଜିଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁକୁର ପ୍ରମୁଖ ଛଟେଇ କର୍ମଚାରୀଙ୍କ ଦାବି ଯଥାର୍ଥ ହୋଇଥିବାରୁ କାରଖାନା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଏକ ପାଖିଆ ଓ ଅଗଣତାନ୍ତ୍ରିକ ବୋଲି କହିଥିଲେ। ଏଥିପାଇଁ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ କର୍ମଚାରୀମାନଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ଭୟରେ କାରଖାନା କର୍ତ୍ତୃପକ୍ଷ ଆଗୁଆ କାରଖାନା ଛାଡି ପଳାଇଯାଇଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ, ଆଧୁନିକ ମେଟାଲିକ୍ସ କାରଖାନା ୫୦୮ ଜଣ ଶ୍ରମିକ ଓ ୨୭୦ ଜଣ କର୍ମଚାରୀଙ୍କୁ ନେଇ ଚାଲୁଥିଲା ବେଳେ ସେମାନଙ୍କ ମଧ୍ୟରୁ ୭୯ଜଣ କର୍ମଚାରୀଙ୍କୁ ଏକକାଳୀନ ଛଟେଇ ଯୋଗୁ କାରଖାନାରେ ଏବେ କର୍ମଚାରୀ ଆନ୍ଦୋଳନ ଜୋର ଧରିଛି।