Categories: ଅପରାଧ

ପ୍ରେମ ବିବାହ କରିବାରୁ ଯୁବକଙ୍କୁ ମିଳିଲା ଏହି ଦଣ୍ଡ

ନୂଆଦିଲ୍ଲୀ, ୧୮।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରେମ ବିବାହ କରିବା ଜଣେ ଯୁବଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯୁବକଙ୍କୁ ଅତି ନିର୍ମମ ଭାବେ ମାଡ଼ ହେବା ଫଳରେ ତାଙ୍କ କାନର ପର୍ଦ୍ଦା ଫାଟିଯିବା ସହିତ ସେ ଗୁରୁତର ହୋଇଯାଇଛନ୍ତି। ଯୁବକଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଯୁବକଙ୍କ କାନ ପାଖ ହାଡ଼ ମଧ୍ୟ ମାଡ଼ରେ ଫାଟି ଯାଇଛି। ହସ୍ପିଟାଲରେ ଏବେ ଯୁବକଙ୍କ ଚିକିତ୍ସା ଚାଲିଛି। ଏହି ଘଟଣା ଦକ୍ଷିଣ ଦିଲ୍ଲୀର ତିଗଡି ଅଞ୍ଚଳରେ ଘଟିଛି।
ଯୁବକ ଯଶ ପ୍ରତାପ ସ୍ଥାନୀୟ ସଙ୍ଗମ ବିହାର ଅମର ସିଂ ମାର୍କେଟ୍‌ରେ ରୁହନ୍ତି। ଗତ ୨୩ରେ ସେ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। କୋର୍ଟ ବିବାହ ପରେ ଯୁବକଜଣଙ୍କ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ ମଧ୍ୟ କରିଥିଲେ। କିନ୍ତୁ ଏହି ପ୍ରେମ ବିବାହରେ ଯଶ ପ୍ରତାପଙ୍କ ବଡ଼ବାପାଙ୍କ ପୁଅ ନାରାଜ ଥିଲେ। ବିବାହ ପରେ ଯଶ ପ୍ରତାପଙ୍କୁ ତାଙ୍କ ବଡ଼ବାପାଙ୍କ ପୁଅ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ଏହାପରେ ନିକଟରେ ଯଶ ପ୍ରତାପ ତାଙ୍କ ଦୋକାନରେ ଏକୁଟିଆ ଥିବାବେଳେ ବଡ଼ବାପା ପୁଅ ସେଠାରେ ପହଞ୍ଚି ତାଙ୍କୁ ଅତି ନିର୍ମମ ଭାବେ ବାଡ଼େଇ ଫେରାର ହୋଇଯାଇଥିଲା। ପରେ ପରିବାର ଲୋକ ପ୍ରତାପଙ୍କୁ ହସ୍ପିଟାଲ ନେଇଯାଇଥିଲେ। ଏନେଇ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି।