ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା ଗୁଡାରି ବ୍ଲକ୍ ଅସଡ଼ା ପଞ୍ଚାୟତ ଅଧୀନ ଡ଼ିମିରିଗୁଡା ଗ୍ରାମର ପ୍ରାୟ ୨୫ ଜଣ ଆଦିବାସୀ ମହିଳା ସୁଭଦ୍ରା ଯୋଜନାରେ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ହୋଇଛି।
ଏ ନେଇ ଗୁରୁବାର ଆଦିବାସୀ ମହିଳାମାନେ ସରପଞ୍ଚ ସୁଦାମ ଶବରଙ୍କ ସହ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓ ସୁଚିସ୍ମିତା ବେହେରାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବିଡିଓ ଘଟଣାର ତଦନ୍ତ ପାଇଁ ସିଡିପିଓ ଅନିତା ପାଣିଗ୍ରାହୀଙ୍କୁ କହିଥିଲେ। ଦାୟିତ୍ୱରେ ଥିବା କର୍ମଚାରୀମାନେ ସମୂହ ଛୁଟିରେ ଯାଇଥିବାରୁ ସେମାନେ ଆସିଲେ ଏହି ଦିଗରେ ଆଲୋଚନା କରିବେ ବୋଲି କହିଥିଲେ। ଏ ନେଇ ବିଡ଼ିଓ କହିଛନ୍ତି, ଏମାନଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ନିଶ୍ଚିତ ଭାବେ ସୁଭଦ୍ରା ଟଙ୍କା ମିଳିବ। ବ୍ଲକ୍ସ୍ତରରେ ତ୍ରୁଟି ଥିଲେ ଖୁବ୍ଶୀଘ୍ର ସମଧାନ କରାଯିବ ଏବଂ ଯଦି ଜିଲାସ୍ତରରେ କୌଣସି ଅସୁବିଧା ହୋଇଥାଏ ତେବେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ।

