ଦାରିଙ୍ଗବାଡ଼ି,୩୧।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଥମେ ପୂର୍ବ ବର୍ଷର ବୈଠକ ଓ ଦିବସ ପାଳନ ପାଇଁ ନିଆଯାଇଥିବା ନିଷ୍ପତି ଓ ବିଭିନ୍ନ ଉପକମିଟିର କର୍ମକର୍ତ୍ତାଙ୍କ ଦାୟିତ୍ୱ ସମ୍ପର୍କରେ ବିବରଣୀ ପଠନ କରିଥିଲେ।
ପରେ ଚଳିତବର୍ଷ ଏହି ଦିବସକୁ ସମସ୍ତଙ୍କ ସହଯୋଗରେ କିଭଳି ଅତି ଉତ୍ତମ ଭାବେ ଓ ବହୁ ଆଡମ୍ବରରେ ପାଳନ କରାଯିବ ସେନେଇ ବିଡ଼ିଓ ମତ ରଖିଥିଲେ। ସେହିପରି ନୂତନ ଭାବେ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଏଥିପାଇଁ ଜାତୀୟ ଦିବସ ପାଳନ କମିଟିର ଉପକମିଟି ଗଠନ କରାଯାଇଥିଲା। ବିଶେଷ କରି ସାମୂହିକ ପ୍ୟାରେଡ, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଓ ବିଚାରକ ମଣ୍ଡଳୀ ଚୟନ, ପ୍ରଚାର ପ୍ରସାର କରାଯିବା ସହ ଶାନ୍ତି କମିଟିରେ ପୋଲିସ ଆଇଆଇଆସି କନକ କୁମାର ମାଝୀଙ୍କୁ ମୁଖ୍ୟ ଦାୟିତ୍ୱ ବଣ୍ଟନ କରାଯାଇଥିଲା।
ସେହିପରି ସାମୁହିକ ପ୍ୟାରେଡ, ସାଂସ୍କୃତିକ କାର୍ଯ୍ୟକ୍ରମ, ଜଳ, ମିଷ୍ଟାନ୍ନ ବଣ୍ଟନ, ମଞ୍ଚ ପରିଚାଳନା, ପୁରସ୍କାର ବଣ୍ଟନ ଆଦି ବିଭିନ୍ନ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ପାଇଁ କମିଟିର କର୍ମକର୍ତ୍ତାମାନେ ଦାୟିତ୍ୱ ତୁଲାଇବେ। ସେହିପରି ଜାତୀୟ ଦିବସରେ ମୁଖ୍ୟ ଅତିଥିଭାବେ ଯେକୌଣସି ଜଣେ ଲୋକପ୍ରତିନିଧି ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ତେବେ ଏଥିରେ ବିଦ୍ୟାଧର ମଲିକ ସ୍ଜି. ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନଙ୍କୁ ଅତିଥି କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ଲେଙ୍କା ପ୍ରଧାନ ସମର୍ଥନ କରିବା ସହ ପ୍ରମୋଦ ଦିଗାଲ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ସେ ରାଜି ହୋଇଥିବା କହିଥିଲେ। ତେବେ ଏହାର କୌଣସି ନିଷ୍ପତି ହୋଇ ନ ଥିବା ଜଣାପଡିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦାରିଙ୍ଗବାଡି ଥାନା ଅଧିକାରୀ ତଥା ଡିଏସପି କନକ କୁମାର ମାଝୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ।


