ପାଟନା,୨୬।୮: ରୋଜଗାର ସମେତ ବିଭିନ୍ନ ଦାବି ନେଇ ପାଟନାର ଡାକବଙ୍ଗଲା ଛକରେ ଛାତ୍ର ଓ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଭିଡ଼ ମଧ୍ୟରେ ପ୍ରାୟ ୬ ବର୍ଷର ଜଣେ ନାବାଳକଙ୍କ ବୟାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାଇରାଲ ଭିଡିଓରେ ଶିଶୁଟି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଇସ୍ତଫା ଦାବି କରୁଥିବା ଦେଖାଯାଉଛି । ସେ ବେରୋଜଗାରୀ ପ୍ରସଙ୍ଗ ଉଠାଇ ସରକାରଙ୍କ ପାଇଁ ଛାତ୍ରମାନେ ବେରୋଜଗାର ହୋଇଥିବା କହୁଛନ୍ତି। ନାବାଳକର ଏହି ବୟାନ ଆନ୍ଦୋଳନସ୍ଥଳରେ ଉପସ୍ଥିତ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି।
ଭିଡିଓରେ ନାବାଳକଟି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ନିଜ ପ୍ରତିକ୍ରିୟା ଦେଉଛନ୍ତି । ସେ କହିଛନ୍ତି, କେବଳ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ନୁହେଁ, ବରଂ ‘ଦେଶର ଭବିଷ୍ୟତର ମୁଣ୍ଡ ଫଟାଇ ଦିଆଯାଇଛି।’ ଏହି ବୟାନ ପରେ ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତଗତିରେ ଶେୟାର ହେଉଛି। ଭିଡିଓରେ ବାଳକଟି ଆନ୍ଦୋଳନସ୍ଥଳରେ ଠିଆ ହୋଇ ନିଜ କଥା କହୁଥିବା ବେଳେ ତାଙ୍କ ପଛରେ ବହୁ ସଂଖ୍ୟାରେ ଛାତ୍ର ଓ ପରୀକ୍ଷାର୍ଥୀ ଦେଖାଯାଉଛନ୍ତି । ରାସ୍ତାରେ ନାରାବାଜି ଓ ପ୍ରଦର୍ଶନ ମଧ୍ୟରେ ବାଳକର ନିର୍ଭୀକ ଅନ୍ଦାଜ ଲୋକଙ୍କ ଚର୍ଚ୍ଚାର କାରଣ ହୋଇଛି। ପାଟନାରେ ଛାତ୍ର ଓ ପରୀକ୍ଷାର୍ଥୀମାନେ ରୋଜଗାର ସମେତ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି ।ପ୍ରଦର୍ଶନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ଦାବିରେ ଅଡ଼ି ରହିଛନ୍ତି। ଏହା ପୂର୍ବରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଦିଗକୁ ଯିବାକୁ ମଧ୍ୟ ଚେଷ୍ଟା କରିଥିଲେ।
ଜେପି ଗୋଲମ୍ବର ନିକଟରେ ପୋଲିସ ବ୍ୟାରିକେଡ୍ ଲଗାଇ ପ୍ରଦର୍ଶନକାରୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲା। ବ୍ୟାରିକେଡ୍କୁ ନେଇ ଉଭୟ ପକ୍ଷ ମଧ୍ୟରେ ତର୍କବିତର୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୋଲିସ ପୁଣିଥରେ ବ୍ୟବସ୍ଥା ସମ୍ଭାଳି ବ୍ୟାରିକେଡିଂ କରିଥିଲା।