ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି । ଭଦ୍ରକ ବ୍ଲକ ଅନ୍ତର୍ଗତ ତଳାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଶିକ୍ଷକ ଅଭାବ ରହିଛି । ଫଳରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଏହାକୁ ନେଇ ସୋମବାର ଛାତ୍ରୀଛାତ୍ର ଏବଂ ଅଭିଭାବକ ମିଶି ବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ।
ଖବର ପାଇ ଭଦ୍ରକ ଜିଲା ଅତିରିକ୍ତ ଶିକ୍ଷାଧିକାରୀ ଏବଂ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ସ୍କୁଲକୁ ଯାଇଥିଲେ । ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କୁ ବୁଝାସୁଝା କରୁଥିବା ବେଳେ ଉତ୍ତ୍ୟକ୍ତ ଛାତ୍ରୀଛାତ୍ରମାନେ ହଠାତ୍ ସ୍କୁଲ ଗେଟରେ ତାଲା ପକାଇ ଦେଇଥିଲେ। ଫଳରେ ଉଭୟ ଅଧିକାରୀ ସ୍କୁଲ ପରିସର ଭିତରେ ଫସି ରହିଥିଲେ । ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ତାଲା ନ ଖୋଲିବାକୁ ଜିଦ୍ ଧରିଥିଲେ ଛାତ୍ରୀଛାତ୍ର। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ଦୁଇଦିନ ଭିତରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପ୍ରତିଶୃତି ଦେବା ପରେ ପିଲା ମାନେ ଧାରଣାରୁ ହଟିଥିଲେ । ସ୍କୁଲ ଗେଟରୁ ତାଲା ଖୋଲାଯାଇଥିଲା ।