ଭିତରେ ଛାତ୍ରୀଛାତ୍ର, ବାହାରେ ଶିକ୍ଷୟିତ୍ରୀଶିକ୍ଷକ

ଭୋଗରାଇ, ୪।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ନାଛିନ୍ଦା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବଦଳି ପ୍ରତିବାଦରେ ଶୁକ୍ରବାରଠାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଦ୍ୱାରା ଚାଲିଆସୁଥିବା ଆନ୍ଦୋଳନ ଜାରି ରହିଛି। ଶନିବାର ଛାତ୍ରୀଛାତ୍ର ସ୍କୁଲଗେଟ୍‌ର ମୁଖ୍ୟ ଫାଟକ ଖୋଲି ଶ୍ରେଣୀ ବାରଣ୍ଡାରେ ବସି ଆନ୍ଦୋଳନ ଚାଲୁ ରଖି ‘ଆମ ଶିକ୍ଷକଙ୍କୁ ଫେରାଇ ଦିଅ’ ସ୍ଲୋଗାନ ଦେଇ ପୂର୍ବାହ୍ନ ୧୧ଟା ସୁଦ୍ଧା ବସି ରହିଥିଲେ। ଶ୍ରେଣୀ ଗୃହରେ ତାଲା ପଡ଼ିଥିବାରୁ ଶିକ୍ଷୟିତ୍ରୀଶିକ୍ଷକମାନେ ବାହାରେ ରହି ନୀରବତା ଅବଲମ୍ବନ କରିଥିଲେ। ଶିକ୍ଷା ବିଭାଗ ପକ୍ଷରୁ କେହି ଅଧିକାରୀ ଶନିବାର ଘଟଣାସ୍ଥଳକୁ ଯାଇ ନ ଥିବାରୁ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।
ଉକ୍ତ ସ୍କୁଲରୁ ପ୍ରଧାନଶିକ୍ଷକଙ୍କ ବଦଳିକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ପକ୍ଷରୁ ପ୍ରତିବାଦ କରାଯାଇ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି। ତେବେ ଶନିବାର ଛାତ୍ରୀଛାତ୍ର ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇଥିବା ସୂଚନା ମିଳିଛି। ସୋମବାର ଶିକ୍ଷକ ଦିବସ ଥିବାରୁ ଏହି ସ୍କୁଲରେ ସମସ୍ୟାର ଆଶୁ ସମାଧାନ ହେବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନ ଜଣାଇଛନ୍ତି। ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଦ୍ୱାରା ଚାଲୁ ରହିଥିବା ଆନ୍ଦୋଳନ ପ୍ରତି ପୋଲିସ ନଜର ରଖିଛି।