Categories: କନ୍ଧମାଳ

ସ୍କୁଲ ଖୋଲିବା ଦାବି ନେଇ ରାସ୍ତାରେ ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୬ା୧୨: କମ୍‌ ସଂଖ୍ୟା ପିଲା ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇ ପାଖ ବିଦ୍ୟାଳୟରେ ମିଶାଯାଉଛିା କନ୍ଧମାଳ ଜିଲାରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ପିଲାମାନଙ୍କୁ ପାହାଡ ନଦୀ ପାର ହୋଇ ବିଦ୍ୟାଳୟକୁ ଯିବାକୁ ପଡୁଛି। ସରକାର ଯେଉଁ ବିଦ୍ୟାଳୟ ମିଶ୍ରଣ ନୀତି କରିଛନ୍ତି, ତୁରନ୍ତ ତାହାକୁ ପ୍ରତ୍ୟାହର କରିବା ଦାବିରେ ଫୁଲବାଣୀରେ ବିକ୍ଷୋଭ କରାଯାଇଛି। ବ୍ଲକର ନୀଳାପଦର ପ୍ରାଥମିକ ବିଦ୍ୟାଳୟକୁ ପୁଣି ଖୋଲି ସେଠାରେ ପାଠ ପଢ଼ା ଆରମ୍ଭ କରିବାକୁ ନୀଳାପଦରବାସୀଙ୍କ ସମେତ ଛୋଟ ପିଲାମାନେ ଦାବି କରିଛନ୍ତି। ପାଠ ପଢ଼ିବା ପାଇଁ ପିଲାମାନେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ା ମାଦିକୁନ୍ଦା ଛକରୁ ଗ୍ରାମବାସୀ ଏବଂ ପିଲାମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ସମସ୍ତେ ଧାରଣାରେ ବସିଥିଲେ। ଏ ନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ୨୦୨୦-୨୧ ଶିକ୍ଷାବର୍ଷରେ ସ୍କୁଲ ବନ୍ଦ ଏବଂ ମିଶ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି । ଉପସ୍ଥାନ କମ୍‌ ଥିବା କାରଣ ଦର୍ଶାଇ ସରକାର କମ୍‌ ସଂଖ୍ୟକ ଛାତ୍ରୀଛାତ୍ର ଥିବା ସ୍କୁଲକୁ ନିକଟ ସ୍କୁଲରେ ମିଶ୍ରଣ କରି ଉକ୍ତ ସ୍କୁଲକୁ ବନ୍ଦ କରିଛନ୍ତି। ନିଳାପଦର୍‌ ଗ୍ରାମର ସ୍କୁଲକୁ ଗତ ଅକ୍ଟୋବର ମାସରେ ବନ୍ଦ କରି ଅନ୍ୟତ୍ର ଗ୍ରାମଠାରୁ ପ୍ରାୟ ୨କି.ମି. ଦୂରରେ ଥିବା ଏକ ସ୍କୁଲରେ ମିଶ୍ରଣ କରାଯାଇଛି। ଉକ୍ତ ସ୍କୁଲକୁ ଯିବା ରାସ୍ତା ବଣ ଜଙ୍ଗଲ ଭରା। ରାସ୍ତାରେ ବନ୍ୟଜନ୍ତୁଙ୍କ ଭୟ। କୋମଳମତି ଶିଶୁମାନେ ପ୍ରତିଦିନ ସ୍କୁଲକୁ ଯିବା ଆସିବା କରିବା ସମ୍ଭବ ନୁହେଁ। ଗାଁର ଅଧିକାଂଶ ଜନସାଧାରଣ ଚାଷୀ ଏବଂ ଶ୍ରମିକ ଶ୍ରେଣୀର ହୋଇଥିବାରୁ ପ୍ରତିଦିନ ସ୍କୁଲକୁ ପିଲାଙ୍କୁ ନେବା ଆଣିବା କରିପାରିବେ ନାହିଁ । ତେଣୁ ସ୍କୁଲକୁ ଅନ୍ୟତ୍ର ମିଶ୍ରଣ ନ କରିବା ପାଇଁ ଗ୍ରାମବାସୀ ଏବଂ ବିଦ୍ୟାଳୟ ସୁରକ୍ଷା କମିଟି ଦୃଢ ଦାବି କରିଛି ା ଅଲ ଇଣ୍ଡିଆ ଡି.ଏସ୍‌.ଓ ରାଜ୍ୟ ସଭାପତି କେ.ସୋମନାଥ ବେହେରା, ବିଦ୍ୟାଳୟ ସୁରକ୍ଷା କମିଟି ଜିଲା ସଂଯୋଜକ କ.ପପୁନ ସାହୁ, ବିଦ୍ୟାଳୟ ସୁରକ୍ଷା କମିଟି ଗ୍ରାମ ସଭାପତି ସଦାଶିବ ମଲ୍ଲିକ, ସମ୍ପାଦକ ଶ୍ରୀକୃଷ୍ଣ ଦିଗାଲଙ୍କ ନେତୃତ୍ୱରେ ଗ୍ରାମର ବହୁ ଜନସାଧାରଣ ଏବଂ ଛାତ୍ରୀଛାତ୍ର ଏଥିରେ ସାମିଲ ଥିଲେ।