କେସିଙ୍ଗା,୧୦।୬(ତୁମେଶ୍ବର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ଗ୍ରାମ ସ୍ଥିତ ମଶାଣିମୁଣ୍ଡା ଗ୍ରାମ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୧୬ -୧୭ ମସିହାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଏହି ବିଦ୍ୟାଳୟରେ ଷଷ୍ଠରୁ ପ୍ଲସ -୨ ଯାଏ ଖୋଲା ଯାଇଛି। ଏହି ବିଦ୍ୟାଳୟରେ ପ୍ରାୟ ୫୦୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନରତ ଅଛନ୍ତି। କେସିଙ୍ଗା ବ୍ଳକର ବହୁ ଦୂରରୁ ବିଭିନ୍ନ ଗ୍ରାମରୁ ଛାତ୍ରୀଛାତ୍ରମାନେ ଅଧ୍ୟୟନ ପାଇଁ ଏହି କଚ୍ଚା ରାସ୍ତା ଦେଇ ଯିବାଆସିବା କରୁଛନ୍ତି।
କେସିଙ୍ଗା ବ୍ଳକର ଆଖପାଖ ଅଞ୍ଚଳରୁ ଛାତ୍ରୀଛାତ୍ରମାନେ ପ୍ରତ୍ୟେକ ଦିନ ସାଇକେଲ ଯୋଗେ ସ୍କୁଲକୁ ଯାଉଛନ୍ତି। ଅଭିଭାବକମାନେ ନିଜର ମୋଟର ସାଇକେଲରେ ଛୁଆମାନଙ୍କୁ ନେବା ଆଣିବା କରିଥାନ୍ତି। ବିଜେଡି ସରକାର ଅମଳରେ ୫ଟି ରୂପାନ୍ତରିତ ଯୋଜନାରେ ସାମିଲ କରାଯାଇ ଅନେକ ବିଲ୍ଡିଙ୍ଗ ସମେତ ଅନେକ ଭିତ୍ତିଭୂମିର କାର୍ଯ୍ୟ କରାଯାଇଛି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବିଲ୍ଡିଙ୍ଗ କାମ ଚାଲୁଥିବା ଦେଖିବାକୁ ମିଳୁଛି।ବହୁତ କିଛି ଭିତ୍ତିଭୂମିର ବିକାଶ ହେଉଥିଲେ ମଧ୍ୟ ଦୀର୍ଘ ୮ ବର୍ଷ ପରେ ଆରଡି ରାସ୍ତାଠାରୁ ପ୍ରାୟ ଏକରୁ ଦେଢ କିଲୋମିଟର ମାଟି ରାସ୍ତା ରହିଛି। ବର୍ଷା ଋତୁରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଯିବା ଆସିବା କରିଥାନ୍ତି। କଚା ରାସ୍ତା ହୋଇଥିବାରୁ କାଦୁଅ ପଚ ପଚ ରାସ୍ତାରେ ଅନେକ ସମୟରେ ଛୋଟ ବଡ଼ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି। ଏହି ରାସ୍ତାଦେଇ ଜିଲାପାଳଙ୍କ ସମେତ ବହୁ ଅଧିକାରୀ ସେହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ କାହାର ଦୃଷ୍ଟି ପଡୁ ନ ଥିବା ଦୁଃଖର ବିଷୟ ବୋଲି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।
ବର୍ତ୍ତମାନ ଖରା ଛୁଟି ସରିବାକୁ ବସିଲାଣି ଆଉ କେଇଟା ଦିନ ପରେ ସ୍କୁଲ ଖୋଲିବା ସହିତ ବର୍ଷା ଋତୁ ମଧ୍ୟ ଆରମ୍ଭ ହୋଇଯିବ। ପୁଣି ଯୋଉ ସମସ୍ୟାକୁ ସେହି ସମସ୍ୟା ଉପୂଜିବ। ଛୁଟି ସମୟରେ ରାସ୍ତା କାମ କାହିଁକି କରାଗଲା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ କେବେ ସରକାରଙ୍କ ଦୃଷ୍ଟି ଏହି ଆଦର୍ଶ ବିଦ୍ୟାଳୟର ରାସ୍ତା ଉପରେ ପଡ଼ିବ ବୋଲି ଦାବି ହେଉଛି। ଏ ସଂକ୍ରାନ୍ତରେ ଆରଡ଼ି ବିଭାଗ ଏସଡ଼ି ଓ ଯଯାତି କେଶରୀ ଗଡ଼ନାୟକଙ୍କୁ ପଚାରିବାରୁ ସେହି ରାସ୍ତା ପାଇଁ ସର୍ଭେ କାମ କରାଯିବ। ତା’ପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଅର୍ଥ ମଞ୍ଜୁର ହେଲେ ପିଚୁ କାମ କରାଯିବ ବୋଲି ପ୍ରକାଶ କରିଥିଲେ। କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁଙ୍କୁ ପଚାରିବାରୁ ଅଳ୍ପ ଦିନ ଭିତରେ ମିନି ଷ୍ଟାଡିୟମ ରୋଡ଼ଠାରୁ ଆଦର୍ଶ ବିଦ୍ୟାଳୟକୁ ସି ସି ରୋଡ଼ ହେବ ବୋଲି ମଧ୍ୟ ପ୍ରକାଶ କରିଥିଲେ।


