ପାଠପଢ଼ା ଛାଡ଼ି ଭୋଜିରେ ବ୍ୟସ୍ତ ଛାତ୍ର

କୋଦଳା,୨୮ା୯(ଅମିତ କୁମାର ପଟ୍ଟନାୟକ):ବିଦ୍ୟାଳୟରେ ପାଠ ପଢ଼ା ସମୟରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଛାଡ଼ି ଅନ୍ୟ ଏକ ଭୋଜିରେ ବ୍ୟସ୍ତ ରହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଠପଢ଼ା ଚାଲିଥିବା ବେଳେ ପିଲାମାନେ କେମିତି ସ୍କୁଲ ଛାଡ଼ି ଭୋଜିରେ ଯୋଗଦେଲେ ତାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ତେବେ ଏ ନେଇ ଶିକ୍ଷାଅଧିକାରୀଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ଏହି ଘଟଣା ଦେଖିବାକୁ ମିଳିଛି କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟରେ।

ମଙ୍ଗଳବାର ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ା ଚାଲିଥିବା ବେଳେ କେତେକ ଛାତ୍ର ଅନ୍ୟତ୍ର ଭୋଜିରେ ଥିବା ଦେଖିବାକୁ ମିଳିଥିଲା। ଦଶମ ଶ୍ରେଣୀର କିଛି ଛାତ୍ର ବିଦ୍ୟାଳୟ ଠାରୁ ଏକ କିଲୋମିଟର ଦୂରରେ ଏକ ହୋଟେଲ ଉଦଘାଟନର ଭୋଜି କାର୍ଯ୍ୟରେ ଭୋଜି ଖାଉଥିବା ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ୧ଟା ସମୟରେ ବିଦ୍ୟାଳୟ ପାଠ ପଢା ଚାଲୁଥିବା ସମୟରେ କେମିତି ଛାତ୍ରମାନେ ସ୍କୁଲ ବାହାରକୁ ଗଲେ ସେ ନେଇ ଅଭିଭାବକରେ ପ୍ରଶ୍ନ କରିଛନ୍ତି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ଅନୁପସ୍ଥିତ ଥିବା ବେଳେ ଶିକ୍ଷକ ଶରତ ଚନ୍ଦ୍ର ଜାଲି ଅତିରିକ୍ତ ଦାୟିତ୍ୱରେ ଥିଲେ। ତେବେ ଛାତ୍ରମାନେ କେମିତି ବାହାରକୁ ଗଲେ ସେ ଜାଣିନାହାନ୍ତି ବୋଲି କହିଛନ୍ତି। ଜିଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ଏହା ଏକ ଗୁରୁତର ଘଟଣା ହୋଇଥିବାରୁ ନିଶ୍ଚୟ ତଦନ୍ତ କରାଯିବ ବୋଲି କହିଛନ୍ତି। ଘଟଣାକୁ ଗୁରୁତର ସହ ନେଇ ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ଦେବେନ୍ଦ୍ର ପାଣ୍ଡୀ ତଦନ୍ତ ଦାବି କରି କରିଛନ୍ତି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ବିଦ୍ୟାଳୟରେ ମନମୁଖୀ କାର୍ଯ୍ୟ କରୁଥିବା ନେଇ ବିଦ୍ୟାଳୟ ଶିକ୍ଷା କମିଟି ପକ୍ଷରୁ ଅଭିଯୋଗ ହୋଇଛି। ଚଳିତ ବର୍ଷ ୮୦ ଛାତ୍ରୀଛାତ୍ରଙ୍କୁ ଡ୍ରେସ ବଣ୍ଟନ ହୋଇନଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହେଉଥିବାରୁ ଉକ୍ତ ପ୍ରଧାନଶିକ୍ଷକ କାର୍ଯ୍ୟରୁ ଅବ୍ୟାହତ କରି ନୂତନ ପ୍ରଧାନଶିକ୍ଷକ ନିଯୁକ୍ତ ପାଇଁ ଏକ ଅଭିଯୋଗ ପତ୍ର ବେଗୁନିଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦେଇଛନ୍ତି।