ଛତ୍ରପୁର,୧୨ା୭(ଦିଲ୍ଲୀପ ସାମଲ): ସ୍କୁଲ ଶିକ୍ଷକଙ୍କ ବଦଳି ବାତିଲ କରିବା ନେଇ ଛତ୍ରପୁର ବ୍ଳକ ଟାକିରିଆ ବ୍ରହ୍ମପୁର ଅଭିଭାବକ ଓ ଛାତ୍ରୀ ଛାତ୍ର ଆନ୍ଦୋଳନ କରିଛନ୍ତି। ଶନିବାର ସକାଳୁ ସ୍କୁଲ ଗେଟ୍ ଆଗରେ ଆନ୍ଦୋଳନ କରିବା ସହ ଗେଟ୍ରେ ତାଲା ପକାଇ ରଖିଛନ୍ତ। ଏପରିକି କୌଣସି ଶିକ୍ଷକଙ୍କୁ ମଧ୍ୟ ସ୍କୁଲ ମଧ୍ୟକୁ ଛାଡୁ ନାହାନ୍ତି। ଶିକ୍ଷକଙ୍କ ବଦଳି ବାତିଲ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହ ସ୍କୁଲରେ ତାଲା ଝୁଲି ରହିବ ବୋଲି ଚେତାବନୀ ଦିଆଯାଇଛି। ଛତ୍ରପୁର ବ୍ଲକ ଟାକିରିଆ ବ୍ରହ୍ମପୁର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଜେ.କୁର୍ମା ରାଓଙ୍କୁ ସୁନ୍ଦରପୁରର ସୁନ୍ଦରେଶ୍ୱର ସ୍କୁଲକୁ ବଦଳି ହୋଇଯାଇଛି। ଜେ.କୁର୍ମା ଜଣେ ଭଲ ଶିକ୍ଷକ ତାଙ୍କ ପାଇଁ ବେସରକାରୀ ସ୍କୁଲର କିଛି ପିଲା ଚଳିତ ଶିକ୍ଷାବର୍ଷରେ ସେଠାରୁ ବାହାରି ଏହି ସ୍କୁଲରେ ନାମ ଲେଖାଇଛନ୍ତି। ଏବେ ଏହି ଶିକ୍ଷକଙ୍କ ବଦଳି ହୋଇଯାଇଥିବାରୁ ପିଲାଙ୍କ ପାଠପଢ଼ାରେ ବ୍ୟାହତ ହେବ। କିଛି ରାଜନୈତିକ ଚାପରେ ଏଠାରୁ ବଦଳି ଜାଣିଶୁଣି କରାଯାଇଛି ବୋଲି ଗ୍ରାମବାସୀ କହିଥିଲେ। ଗତକାଲି ଏକ ସ୍ମାରକପତ୍ର ବ୍ଲକ ଶିକ୍ଷାଧିକାରୀ ସୁଜିତ କୁମାର ପାଢୀଙ୍କୁ ପ୍ରଦାନ କରାଯାଇଥିଲା। ବଦଳି ବାତିଲ ନହେବା ପର୍ଯ୍ୟନ୍ତ ସ୍କୁଲ ଫାଟକରେ ତାଲା ପଡ଼ି ରହିବ ବୋଲି କହିଥିଲେ।

