ତିହିଡ଼ି,୧ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କାଁପଡ଼ା ପଞ୍ଚାୟତସ୍ଥିତ ବାସୁଳି ନୋଡାଲ ହାଇସ୍କୁଲର ଛାତ୍ରୀଛାତ୍ର, ଅଭିଭାବକଙ୍କ ସମେତ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତାମାନେ ସୋମବାର ପୂର୍ବାହ୍ନରେ ସ୍କୁଲ ସାମ୍ନାରେ ଧାରଣା ଦେଇଛନ୍ତି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ପୂରଣ ଦାବିରେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି।ସ୍କୁଲରେ ୬ଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୪୧ ଏବଂ ୯ମ ଓ ୧୦ମ ଶ୍ରେଣୀରେ ୩୪୩ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ତେବେ ସ୍କୁଲରେ ମୋଟ ୨୨ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୧୨ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ହୋଇଥିଲେ ମଧ୍ୟ ଏହା ପୂରଣ ନହେବାରୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରପଞ୍ଚ କୁନ୍ତଳା ମଲିକ, ପରିଚାଳନା କମିଟି ସଭାପତି ଲମ୍ବୋଦର ଦାସ, ବସନ୍ତ କୁମାର ଦାସ, ବାସୁଦେବ ଦାସ, ଅନାଦି ମଲିକ, ବାସୁଳି କମିଟି ସଭାପତି ଇନ୍ଦ୍ରମଣି ଦାସ, ସମ୍ପାଦକ କମଳାକାନ୍ତ ଦାସ, ମାର୍କଣ୍ଡ ମଲିକ, ସୁବାସ ଚନ୍ଦ୍ର ଦାସ, ସୋମନାଥ ମଲିକ, ରମାକାନ୍ତ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିବା ଜଣାଯାଇଛି।

