ଛାତ୍ର ଶକ୍ତି, ରାଷ୍ଟ୍ରର ଶକ୍ତି

କଟରେ ଭାରତ ଓ ପଡ଼ୋଶୀ ବାଂଲାଦେଶରେ ଦୁଇଟି ଆନ୍ଦୋଳନାତ୍ମକ ଘଟଣା ଘଟିଯାଇଛି, ଯାହା ଛାତ୍ର ଶକ୍ତିର ପରାକାଷ୍ଠାକୁ ପୁଣି ଥରେ ପ୍ରତିପାଦିତ କରିଛି। ସାଧାରଣ ଜନତା ଯାହା କରିବାରେ ସମର୍ଥ ହୋଇନଥା’ନ୍ତି, ତାହା ଛାତ୍ରଙ୍କ ଦ୍ୱାରା ସମ୍ଭବ ହୋଇପାରିଥାଏ।
ପଶ୍ଚିମବଙ୍ଗରେ ଗତ କିଛିଦିନ ତଳେ ଏକ ଲୋମଟାଙ୍କୁରା ଧର୍ଷଣ ଓ ହତ୍ୟା ଘଟଣା ଘଟିଲା। ରାଜ୍ୟର ଏକ ପୁରୁଣା ଡାକ୍ତରି ପାଠ୍ୟକ୍ରମ ଶିକ୍ଷାନୁଷ୍ଠାନରେ ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ଧର୍ଷଣ ପରେ ହତ୍ୟା କରାଗଲା। ପ୍ରତିଷ୍ଠିତ ଆର.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଏହି ଜଘନ୍ୟ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ। ତେବେ ମୂଳ ଘଟଣାଟି ହେଲା: ଜଣେ ଛାତ୍ରୀଙ୍କ ପ୍ରତି ଏଭଳି ଅମାନୁଷିକ ଆଚରଣ ପ୍ରତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଅତି ଖାମଖିଆଲ ମନୋଭାବ ପୋଷଣ କଲେ। ଏହାକୁ ଏକ ସାଧାରଣ ଅପରାଧ ଦୃଷ୍ଟିରେ ଦେଖାଗଲା। ଏତେବଡ଼ ଉଚ୍ଚ ଶିକ୍ଷାନୁଷ୍ଠାନରେ ଜଣେ ତରୁଣୀଙ୍କ ପ୍ରତି ନିରାପତ୍ତା ଦିଗ ସମ୍ପର୍କରେ ବିଚାର କରାନଯାଇ ଘଟଣାକୁ ସାଧାରଣ ଅପରାଧ ଭାବେ ବିବେଚନା କରି ବିଭିନ୍ନ ଆଇନ ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରାଯିବାରୁ ଛାତ୍ର ଅସନ୍ତୋଷ ବୃଦ୍ଧି ପାଇଲା। ଫଳରେ ଡାକ୍ତରୀ ଛାତ୍ର ଆନ୍ଦୋଳନ ମାର୍ଗ ଆପଣେଇ ରାଜରାସ୍ତାକୁ ଓହ୍ଲାଇଲେ। ରୋଗୀସେବା ବାଧାପ୍ରାପ୍ତ ହେଲା। ପଶ୍ଚିମବଙ୍ଗ ଡାକ୍ତରଙ୍କ ସହ ସମଗ୍ର ଦେଶର ଡାକ୍ତରୀ ଛାତ୍ରୀଛାତ୍ର ଆନ୍ଦୋଳନରେ ସାମିଲ ହେଲେ। ପଶ୍ଚିମବଙ୍ଗରେ ସାଧାରଣ ଜନତା ମଧ୍ୟ ଛାତ୍ରୀଛାତ୍ରଙ୍କ ସମର୍ଥନରେ ବାହାରିଲେ। ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟରେ ଯୋଗଦେବା ପାଇଁ ସୁପ୍ରିମକୋର୍ଟ ଛାତ୍ରୀଛାତ୍ରଙ୍କୁ କହିଥିଲେ। ସେମାନେ ତାହା ଶୁଣିନଥିଲେ। ଫଳରେ ଆନ୍ଦୋଳନକାରୀ ନିକଟରେ ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ। ରାଜ୍ୟର ତୃଣମୂଳ ସରକାର ଧର୍ଷଣ ନିରୋଧୀ ବିଲ୍‌ ବିଧାନସଭାରେ ଗୃହୀତ କରାଇଲେ। ଛାତ୍ରଙ୍କ ଦାବି ମୁତାବକ ରାଜ୍ୟର ଏକାଧିକ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଗଲା। ଏହି ଅଧିକାରୀଗଣ ଘଟଣାକୁ ଗୁରୁତ୍ୱ ନ ଦେଇ ନିଜ ଦାୟିତ୍ୱରେ ଅବହେଳା କରିଥିଲେ। ଏଥିସହ କେନ୍ଦ୍ର ସରକାର ନିଜ ଅଧୀନ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାରେ ବୃଦ୍ଧି ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଦୀର୍ଘ ୪୨ ଦିନର ଛାତ୍ର ଆନ୍ଦୋଳନ ଯୋଗୁ ଏହି ସୁଫଳ ମିଳିପାରିଲା ବୋଲି କୁହାଯାଇପାରେ। ଯଦି ପ୍ରଶାସନ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା, ତାହାଲେ ହୁଏତ ଆନ୍ଦୋଳନ ଏତେ ଦିନ ଚାଲିନଥା’ନ୍ତା।
ସେହିପରି ପଡ଼ୋଶୀ ବାଂଲାଦେଶରେ ଏକ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପରିଶେଷରେ ଏକ ଗଣବିପ୍ଳବରେ ପରିଣତ ହୋଇପାରିଲା, ଯାହାର ନେତୃତ୍ୱ ନେଇଥିଲେ ଛାତ୍ରସମାଜ। ପରିସ୍ଥିତି ଏପରି ହେଲା ଯେ, ଏକ ସରକାରର ପତନ ଘଟିଲା ଏବଂ ପ୍ରଧାନମନ୍ତ୍ରୀ ଦେଶ ଛାଡ଼ି ଚାଲିଗଲେ। ବାଂଲାଦେଶରେ ଗତ ୧୫ ବର୍ଷ ଧରି ଶେଖ ହାସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍‌ ସରକାର କ୍ଷମତାରେ ରହିଆସିଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଚାଲିଲେ। ପ୍ରତିପକ୍ଷ ଓ ବିରୋଧୀ ସ୍ବରକୁ ଦମନ କରିବାକୁ ବିଭିନ୍ନ ପଦକ୍ଷେପ ନେଲେ। ଏହାଦ୍ୱାରା ଦେଶରେ ସାଧାରଣ ଜନତାଙ୍କ ମଧ୍ୟରେ ଏକପ୍ରକାର ଚାପା ଅସନ୍ତୋଷ ଦେଖାଦେଲା। କିନ୍ତୁ ସରକାରୀ କଳର ସାମ୍ନା କରିବାକୁ କେହି ସାହସ ଜୁଟାଇ ପାରୁନଥିଲେ। ଏହି ସମୟରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଯୋଗ ଦେଇଥିବା ପରିବାର ସଦସ୍ୟଙ୍କ ପାଇଁ ସରକାର ୩୦% ସଂରକ୍ଷଣ ବ୍ୟବସ୍ଥା କଲେ। ଦେଶରେ ସାଧାରଣ ଲୋକଙ୍କ ମଧ୍ୟରେ ବେରୋଜଗାରି ବୃଦ୍ଧି ପାଇଥିବାବେଳେ ଏତେ ପରିମାଣର ସଂରକ୍ଷଣକୁ ଢାକା ବିଶ୍ୱବିଦ୍ୟାଳୟର କିଛି ବିଦ୍ୟାର୍ଥୀ ବିରୋଧ କରିଥିଲେ। ସରକାର ଦମନମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଦୀର୍ଘ ଦିନର ସରକାରୀ ମନମାନୀ ବିରୋଧରେ ଥିବା ଜନ ଅସନ୍ତୋଷ ଛାତ୍ରଙ୍କ ନେତୃତ୍ୱରେ ଏକ ରାଷ୍ଟ୍ର ବିପ୍ଳବରେ ପରିଣତ ହୋଇଗଲା। ପ୍ରଧାନମନ୍ତ୍ରୀଙ୍କୁ ଦେଶ ପରିତ୍ୟାଗ କରି ଅନ୍ୟ ରାଷ୍ଟ୍ରରେ ଆଶ୍ରୟ ନେବାକୁ ପଡ଼ିଲା। ଏକ ସରକାରର ପତନ ଘଟିଲା। ଦେଶର ମୁଖ୍ୟ ବିଚାରପତି ଓ ସାମ୍ବିଧାନିକ ପଦପଦବୀରେ ଥିବା ଅନେକ ଅଧିକାରୀଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଗଲା। ଦେଶରେ ଏବେ ମଧ୍ୟବର୍ତ୍ତୀ ସରକାର କାର୍ଯ୍ୟ କରୁଛି।
ଛାତ୍ର ଶକ୍ତିର ପ୍ରଭାବ ଯେ କେତେ ଦୁର୍ବାର ହୋଇପାରେ, ତାହା ଉପରୋକ୍ତ ଦୁଇ ଘଟଣାରୁ ଜଣାପଡ଼ୁଛି। ଛାତ୍ରଟିଏ ଦେଶର ଭବିଷ୍ୟତ ବୋଲି କୁହାଯାଇଥାଏ। ଦେଶ ଗଠନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ। ରାଷ୍ଟ୍ରଠାରୁ ସେମାନଙ୍କର କିଛି ଆଶା ମଧ୍ୟ ରହିଥାଏ। ସେମାନେ ବାକ୍‌ ସ୍ବାଧୀନତାରେ ବିଶ୍ୱାସ କରିଥା’ନ୍ତି। ଅନେକ ନୂତନ ବିଚାରଧାରା, ଦର୍ଶନ ସେମାନଙ୍କ ମନକୁ ଆସିଥାଏ, ଯାହା ଏକ ରାଷ୍ଟ୍ରକୁ ସଶକ୍ତ କରିବାରେ ସହାୟକ ହୋଇଥାଏ। ଛାତ୍ରଙ୍କ ମନରେ ଥାଏ ଅତ୍ୟଧିକ ଆତ୍ମବିଶ୍ୱାସ, ଯାହା ଅମଡ଼ା ମାଡ଼ିବାରେ ସେମାନଙ୍କୁ ଖୋରାକ ଯୋଗାଇଥାଏ। କିନ୍ତୁ ଦେଖାଯାଉଛି, ଛାତ୍ର ଶକ୍ତିକୁ ସଶକ୍ତ କରିବା ପରିବର୍ତ୍ତେ ସରକାର ସେମାନଙ୍କୁ ସ୍ବର ଚାପିଦେବା ପାଇଁ ବିଭିନ୍ନ ସମୟରେ ଉଦ୍ୟମ କରୁଛନ୍ତି।
୧୯୯୦ ଦଶକରେ ମଣ୍ଡଳ ରିପୋର୍ଟକୁ କେନ୍ଦ୍ର କରି ଭାରତରେ ଦେଖା ଦେଇଥିଲା ବ୍ୟାପକ ଛାତ୍ର ଆନ୍ଦୋଳନ। ବହୁ ଯୁବଛାତ୍ର ରାସ୍ତା ଉପରକୁ ଚାଲିଆସିଥିଲେ। ବିଭିନ୍ନ ସ୍ଥାନରେ ପୋଲିସକୁ ଗୁଳି ଚଳାଇବାକୁ ପଡ଼ିଥିଲା। ଓଡ଼ିଶାରେ ୧୯୫୧ ମସିହାରେ ସରକାରୀ କଲେଜରେ ଦରମା ଓ ହଷ୍ଟେଲ ଦେୟ ବୃଦ୍ଧି ପ୍ରତିବାଦରେ ଦେଖାଦେଇଥିଲା ଏକ ଛାତ୍ର ଆନ୍ଦୋଳନ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଥାଆନ୍ତି ନବକୃଷ୍ଣ ଚୌଧୁରୀ। ରେଭେନ୍ସା କଲେଜରେ ଚାଲିଥିବା ବିଧାନସଭା ଘେରାଉ କରିବାକୁ ଯାଇ ଛାତ୍ରମାନେ ସଦସ୍ୟମାନଙ୍କୁ ଭିତରକୁ ଛାଡ଼ିନଥିଲେ। ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ପିଲାମାନଙ୍କୁ ବୁଝାଇବାକୁ ଯାଇ ବିଫଳ ହେଲେ ଓ ବିଧାନସଭାକୁ ଯାଇନପାରି ଫେରିଆସିଥିଲେ। ଏଥିରେ ଅଖିଳ ମୋହନ ପଟ୍ଟନାୟକ, ଦେବୀ ପ୍ରସନ୍ନ ପଟ୍ଟନାୟକ, ନନ୍ଦିନୀ ଶତପଥୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ନନ୍ଦିନୀ ଶତପଥୀ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଅନ୍ୟମାନେ ସ୍ବ ସ୍ବ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିଲେ। ୧୯୬୪ରେ ଓଡ଼ିଶାରେ ଦେଖାଦେଇଥିଲା ଆଉ ଦୁଇଟି ବଡ଼ ଛାତ୍ର ଆନ୍ଦୋଳନ। ଏହି ଛାତ୍ର ଆନ୍ଦୋଳନ ପରିଶେଷରେ ବିରେନ ମିତ୍ର ସରକାର ପତନର କାରଣ ହୋଇଥିଲା। ଦେଖାଯାଏ ଦୁର୍ନୀତି, କୁଶାସନ ବିରୋଧରେ ପ୍ରତିବାଦ ଜଣାଇବା, ଗତିଶୀଳ ରାଷ୍ଟ୍ର ଗଠନ ପାଇଁ ପ୍ରଶାସନ ତଥା ନେତୃବୃନ୍ଦଙ୍କ ଉପରେ ଚାପ ସୃଷ୍ଟି କରିବା ଦିଗରେ ଛାତ୍ର ଓ ଯୁବଗୋଷ୍ଠୀ ଅଗ୍ରଣୀ ଭୂମିକା ନେଇଥାନ୍ତି। ଯୁବବର୍ଗର ମୁକ୍ତ ବିଚାରଧାରା ନୂଆ ସମାଜ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଏଣୁ ସ୍ବାଧୀନ ବିଚାରଧାରାର କଣ୍ଠରୋଧ ନବ ଉନ୍ମେଷ ସୃଷ୍ଟିରେ ବାଧକ ହୋଇଥାଏ।
ଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ମତ ରଖିବା ଅଭିଯୋଗରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଇଛି। ଏହି ମାମଲାଗୁଡ଼ିକ ତର୍ଜମା କରିବା ସମୟରେ ଜଣାପଡ଼ିଥିଲା ଯେ, ସରକାରଙ୍କ ନୀତି ସହ ସାଲିସ କରିପାରୁନଥିବା ସ୍ବରକୁ ନୀରବ କରିବା ପାଇଁ ପ୍ରଶାସନ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୨୪(କ) (ଦେଶଦ୍ରୋହ)କୁ ଏକ ବଡ଼ ଅସ୍ତ୍ର ଭାବେ ଉପଯୋଗ କରିଆସୁଛି, ଯାହା ଏକ ପରିପକ୍ୱ ଗଣତନ୍ତ୍ର ପାଇଁ ସୁଲକ୍ଷଣ ହୋଇନପାରେ। ଛାତ୍ରସମାଜ ମୁକ୍ତ ମାନସିକତାର ପ୍ରତୀକ। ସମସ୍ତ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ସେମାନଙ୍କ ନିକଟରେ ରହିଥାଏ ଶକ୍ତି ଓ ସାହସ। ଅତ୍ୟଧିକ ଅନ୍ୟାୟକୁ ସେମାନେ ବରଦାସ୍ତ କରିପାରନ୍ତି ନାହିଁ , ଯାହା ବାଂଲାଦେଶ ଓ ପଶ୍ଚିମବଙ୍ଗରେ ଦେଖାଦେଲା। ନିଜର ଦାବି ହାସଲ ପାଇଁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଚଳାଇ ରଖିବାକୁ ସେମାନେ ଅଙ୍ଗୀକାରବଦ୍ଧ ହୋଇଥାନ୍ତି। ରାଷ୍ଟ୍ର ଦିଗହରା ସମୟରେ ଏମାନେ ଆଲୋକବର୍ତ୍ତିକା ସଦୃଶ କାର୍ଯ୍ୟ କରିଥା’ନ୍ତି। ସେମାନେ ନୂଆ ଧାରା ପ୍ରବର୍ତ୍ତନରେ ସହାୟକ ମଧ୍ୟ ହୋଇଥାଆନ୍ତି। ଏଣୁ ଛାତ୍ରଙ୍କ ମନର କଥା ରାଷ୍ଟ୍ର ଶୁଣିବା ଆବଶ୍ୟକ। ଛାତ୍ରସମାଜକୁ ଉପେକ୍ଷା କରି ବା ଦମନ କରି କୌଣସି ରାଷ୍ଟ୍ର ପ୍ରଗତିଶୀଳ ହୋଇପାରିବ ନାହିଁ।

ସୌଭାଗ୍ୟ ସୁନ୍ଦରରାୟ
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri