ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଜେଲ ଗଲେ ଯୁବକ

ବ୍ରହ୍ମପୁର ଅଫିସ,୧୬ା୧୦: ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ଲାଠି ଗ୍ରାମରୁ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ନାରାୟଣ ଗୌଡ଼ (୨୮)। ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏମ୍‌କେସିଜି ମେଡିକାଲରେ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଥିଲା। ଏପରି କି କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ନାରାୟଣ ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ୧୦ତାରିଖରେ ଅପହରଣ କରିନେଇଥିଲେ। ଏନେଇ ଥାନାରେ ନାବାଳିକାଙ୍କ ବାପା ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏନେଇ ଥାନାରେ ଏକ ମାମଲା (ନଂ.୪୮୨/୨୨) ରୁଜୁ ହୋଇଛି।