ଶିକ୍ଷକ ନିର୍ଯାତନା ଦେବା ଅଭିଯୋଗରେ ଛାତ୍ରୀଛାତ୍ରଙ୍କ ପୋଡ଼ାଜଳା

ହିଞ୍ଜିଳିକାଟୁ,୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସରକାରୀ ଆଇଟିଆଇ ଛାତ୍ରୀଛାତ୍ରଙ୍କୁ ଉକ୍ତ ଅନୁଷ୍ଠାନର ଜଣେ ଶିକ୍ଷକ ନିର୍ଯାତନା ଦେଉଥିବା ଅଭିଯୋଗରେ ଶନିବାର ଛାତ୍ରୀଛାତ୍ର ଆଇଟିଆଇକୁ ତାଲା ପକାଇ ବନ୍ଦ କରିବା ସହ ରାସ୍ତା ଉପରେ ପୋଡ଼ାଜଳା କରିଛନ୍ତି। ଉତ୍ତ୍ୟେକ୍ତ ଛାତ୍ରୀଛାତ୍ର ଆଇଟିଆଇ ସାମ୍ନା ରାସ୍ତାରେ ଟାୟାର ଜାଳି ଗାଡ଼ି ଚଳାଚଳ ବନ୍ଦ କରିଥିଲେ।

ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାଶ ପୋଲିସ ବାହିନୀ ସହ ପହଞ୍ଚି ଉତ୍ତ୍ୟେକ୍ତ ଛାତ୍ରୀଛାତ୍ରଙ୍କୁ ବୁଝାଇବା ପରେ ରାସ୍ତାରୋକୋ ହଟିବା ସହ ତାଲା ଖୋଲିଥିଲେ। ଛାତ୍ରୀଛାତ୍ର ଅନୁଷ୍ଠାନର ଜଣେ ଶିକ୍ଷକ ଗାର୍ଲ୍‌ସ ହଷ୍ଟେଲରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହିବା ଏବଂ ଓ କିଛି ଛାତ୍ରୀଛାତ୍ରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଗୁରୁତର ଅଭିଯୋଗ କରିଛନ୍ତି। ପରୀକ୍ଷାରେ ଫେଲ ଭୟ ଦର୍ଶାଇ ଛାତ୍ରୀଛାତ୍ରଙ୍କୁ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ କରିଥିଲେ ଛାତ୍ରୀଛାତ୍ର। କୋଭିଡ଼ ମହାମାରୀ କାରଣରୁ ହଷ୍ଟେଲ ବନ୍ଦ ଥିବା ସତ୍ତ୍ୱେ ଛାତ୍ରୀଛାତ୍ରଙ୍କ ଫିସ୍‌ ଫେରସ୍ତ ହୋଇନାହିଁ। ପୋଲିସ ଆଇଆଇସି ଓ ଅଧ୍ୟକ୍ଷ ଅମୂଲ୍ୟ କୁମାର ପଣ୍ଡା ଛାତ୍ରୀଛାତ୍ରଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକୋ ହଟିଥିଲା।