ବୁଗୁଡା,୨୫।୪(କାଳୀଚରଣ ଦାଶ): ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ପଡ଼ୋଶୀ ଦେଶ ପାକିସ୍ତାନର ପ୍ରୋତ୍ସାହନରେ ଆତଙ୍କବାଦୀଙ୍କ ବର୍ବରତା ସବୁ ସୀମା ଟପି ଯାଇଥିବା ବେଳେ ଏଭଳି ଘଟଣାକୁ ଦୃଢ ନିନ୍ଦା କରି ସ୍ଥାନୀୟ ହିନ୍ଦୁ ସୁରକ୍ଷା ସମିତି ଏବଂ ଶ୍ରୀ ବଳଦେବସ୍ବାମୀ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆକ୍ରମଣକାରୀ ଆତଙ୍କବାଦୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ଭ୍ରମଣ ପାଇଁ ଆସିଥିବା ନିରୀହ ପର୍ଯଟକଙ୍କ ପ୍ରତି ବର୍ବରୋଚିତ ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଇଛି। ଏଥିସହ ଓଡ଼ିଶାର ଜଣେ ପର୍ଯ୍ୟଟକଙ୍କ ସମେତ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଛି।
ଏପରକି ମୃତ ପର୍ଯ୍ୟଟକଙ୍କ ସ୍ମୃତିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ବୁଦ୍ଧଖୋଲ ଛକରୁ ବାହାରି ନୂଆ ବସଷ୍ଟାଣ୍ଡଠାରେ ଶେଷ ହୋଇଥିଲା। ଏହି ଅବସରରେ ମଦନ ମୋହନ ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

