ଯାଜପୁରରୋଡ୍,୨୭ା୯(ପବିତ୍ର ରଞ୍ଜନ ମହାନ୍ତି): ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତା ଆଣିଦେଇଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଧୀନ ନହକା ଅଞ୍ଚଳର ସ୍ବାଗତିକା ସାମଲ। ନୂଆଦିଲ୍ଲୀର ଡିକେ ପିଜାଣ୍ଟ ସଂସ୍ଥା ପକ୍ଷରୁ ରେଡିସନ ବ୍ଲ୍ୟୁ ହୋଟେଲଠାରେ ଗତ ୧୭ ତାରିଖରେ ଆୟୋଜିତ ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ୯୦୦ ପ୍ରତିଯୋଗୀଙ୍କୁ ପଛରେ ପକେଇ ସ୍ବାଗତିକା ମିସେସ୍ ଇଣ୍ଡିଆ ବିଜୟ ମୁକୁଟ ପିନ୍ଧିଛନ୍ତି। ଏହି ଖବର ପ୍ରଚାରିତ ହେବାପରେ ଯାଜପୁର ଜିଲା ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।
ସ୍ବାଗତିକା ବ୍ୟାସନଗର ଫେରିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। କଳିଙ୍ଗନଗର ଟାଟା ଷ୍ଟିଲରେ କାର୍ଯ୍ୟରତ ପ୍ରଭାତ ସାମଲଙ୍କ ସ୍ତ୍ରୀ ସ୍ବାଗତିକା ଜଣେ ସୁଗୃହିଣୀ। ସେ ଜି-୨ କାଟାଗରି ଅର୍ଥାତ ୪୦ ବର୍ଷରୁ ଊର୍ଦ୍ଧ୍ୱ ଓ ୬୦ ବର୍ଷରୁ କମ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି କାଟାଗରିରେ ଓଡ଼ିଶା ସମେତ ଆସାମ, ଗୁଜରାଟ, ପଞ୍ଜାବ, ହରିୟାଣା, କେରଳ, କର୍ନାଟକ ଓ ତେଲେଙ୍ଗାନା ରାଜ୍ୟରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଆଗାମୀ ଦିନରେ ସ୍ବାଗତିକା ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭଗନେବାକୁ ଇଚ୍ଛା ରଖିଛନ୍ତି। ଏହି ସଫଳତା ପାଇଁ ସ୍ବାଗତିକା ତାଙ୍କ ଭାଉଜ, ସ୍ବାମୀ, ଝିଅ ଓ ପରିବାରକୁ ଶ୍ରେୟ ଦେଇଛନ୍ତି।


