ତାଇଓ୍ବାନ ଭୂକମ୍ପରେ ୧୪୬ ଆହତ: ରାସ୍ତାରେ ଫସିଛନ୍ତି ଶତାଧିକ ଲୋକ

ତାଇପେଇ,୧୯ା୯: ତାଇଓ୍ବାନର ଦକ୍ଷିଣ-ପୂର୍ବ ଭାଗରେ ଶକ୍ତିଶାଳୀ ଭୂକମ୍ପ ଯୋଗୁ ୧୪୬ ଜଣ ଆହତ ହୋଇଥିବା ସୋମବାର ସୂଚନା ମିଳିଛି। ଏପରି କି ପୂର୍ବ ତାଇଓ୍ବାନର ଡୋଙ୍ଗଲି ଷ୍ଟେଶନରେ ୬ଟି ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ବେଳେ ଏଥିରେ କାହାରି କ୍ଷତି ହୋଇ ନ ଥିବା ରେଳ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏପରିକି ତାଇଓ୍ବାନର ଚିକେ ଏବଂ ଲିଉଶିଶି ପାର୍ବତ୍ୟାଞ୍ଚଳରେ ରାସ୍ତା ବ୍ଲକ୍‌ ହୋଇଯିବାରୁ ୬ ଶହରୁ ଊର୍ଦ୍ଧ୍ୱ ଲୋକ ଫସି ରହିଥିବା ଜଣାପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫା କାର୍ଯ୍ୟ ଜାରି ରହିଛି। ଭୂକମ୍ପ ପରେ ପ୍ରଥମେ ଆମେରିକାର ପ୍ରଶାନ୍ତ ମହାସାଗରରେ ସୁନାମି ସତର୍କତା ଜାରି କରାଯାଇଥିଲା। ବର୍ତ୍ତମାନ ଏହାକୁ ହଟାଇ ଦିଆଯାଇଛି।

୨୦୧୬ରେ ତାଇଓ୍ବାନରେ ଭୂକମ୍ପ ଯୋଗୁ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ୧୯୯୯ରେ ଏହି ସ୍ବୟଂଶାସିତ ଦ୍ୱୀପରାଷ୍ଟ୍ର ଶକ୍ତିଶାଳୀ ଭୂକମ୍ପର ସାମ୍‌ନା କରିଥିଲ। ୭.୩ ତୀବ୍ରତା ଭୂମିକମ୍ପ ଯୋଗୁ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଭୂକମ୍ପର କେନ୍ଦ୍ରସ୍ଥଳ ଟାଇଟଙ୍ଗ୍‌ ପ୍ରଦେଶ ଥିଲା। ସମାନ ସ୍ଥାନରେ ରବିବାର ଭୂମିକମ୍ପ ହୋଇଥିବା ପାଣିପାଗ ବ୍ୟୁରୋ ପକ୍ଷରୁ କୁହାଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଏକ ଦୋକାନ ଘର ଭୁଶୁଡ଼ି ପଡ଼ିବାରୁ ୪ ଜଣ ଫସି ରହିଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Share