ଟ୍ରେନ୍‌ ରହଣି ଦାବିରେ ଅକ୍ଟୋବର ୨ରେ ଧାରଣା

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବି ଜୋର ଧରିଛି। ପୂର୍ବରୁ ଏହି ଷ୍ଟେଶନରେ ପୁରୀ-ତିରୁପତି ଏବଂ ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ରହି ଆସୁଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଦ୍ରୁତଗାମୀ ଟ୍ରେନ ରହଣି ବାତିଲ କରାଯାଇଥିଲା। କୋଭିଡ୍‌ ପରବର୍ତ୍ତୀ ସମୟ ପରେ ଅନ୍ୟ ସମସ୍ତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ଦ୍ରୁତଗାମୀ ଟ୍ରେନ ଗଞ୍ଜାମ ଷ୍ଟେଶନରେ ରହୁନାହିଁ। ଏନେଇ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବହୁବାର ରେଳ ଉଚ୍ଚ କତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇବା ପରେ ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଣୁ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଗଞ୍ଜାମ ଷ୍ଟେଶନଠାରେ ଶାନ୍ତିପୂର୍ଣ୍ଣ ଭାବେ ରେଳରୋକୋ ଓ ଧାରଣା ଦିଆଯିବ। ଏହି ଧାରଣାରେ ବିଭିନ୍ନ ସଂଗଠନ ସମର୍ଥନ ପାଇଁ ଶନିବାର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଏଥିସହ ମାଇକ୍‌ ଦ୍ୱାରା ପ୍ରଚାର ମଧ୍ୟ କରାଯାଇଥିବା ମଞ୍ଚ ବରିଷ୍ଠ ସଦସ୍ୟ ବିନୋଦ ମହାପାତ୍ର ସୂଚନା ଦେଇଛନ୍ତି। ଦାବି ପୂରଣ ନ ହେବା ଯାଏ ରେଳରୋକୋ ଚାଲୁ ରହିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ବରିଷ୍ଠ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର, ତ୍ରିନାଥ ପାଣିଗ୍ରାହୀ, ପତିତପାବନ ମହାପାତ୍ର, ପଦ୍ମଚରଣ ପଣ୍ଡା, ଅରୁଣ ପଣ୍ଡା ପ୍ରମୁଖ ଧାରଣାର ନେତୃତ୍ୱ ନେଉଛନ୍ତି।