ଛତ୍ରପୁର, ୪/୧(ଦିଲ୍ଲୀପ ସାମଲ) : ଆଉ ଢ଼ିଲା ନାହିଁ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପରିବହନ ବିଭାଗ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଆକ୍ସନ୍। ଏଣିକି ଆଉ ଅମାନିଆ ଆମ ବସ୍ ଡ୍ରାଇଭରଙ୍କୁ ମିିଳିବନି ଆଶ୍ବସ୍ତି। ରବିବାର ହଳଦିଆପଦର ବସଷ୍ଟାଣ୍ଡ ଠାରେ ଅଚାନକ୍ ଆମ ବସ ଗୁଡକୁ ଚଢ଼ାଉ କରି ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚେକିଂ କରାଯାଇଛି। ଡ୍ରାଇଭରଙ୍କ ପାଟିରେ ବ୍ରେଥଲର ମେସିନ ଲଗାଇ ଡ୍ରଙ୍କ ( ମଦ୍ୟପାନ ) ଏବଂ ବିଭିନ୍ନ ପ୍ରକାର ଚେକିଂ କରାଯାଇଛି। ଏହା ଦେଖି ବସ୍ ଚାଳକଙ୍କ ମଧ୍ୟରେ ଛନକା ଦେଖାଯାଇଛି ।
ଯେଉଁ ଡ୍ରାଇଭର ମଦ୍ୟପାନ କରି ଆମ ବସ୍ ଚଳାଉଥିବେ ତାଙ୍କ ବିରୁଦ୍ଧରେ ଆକ୍ସନ ହେବ । ଏହି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଆରଟିଓ ଇଂ ଦେବାଶିଷ ସ୍ୱାଇଁ ସୂଚନା ଦେଇଛନ୍ତି । କ୍ରୁଟ ( କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ) ପକ୍ଷରୁ ୨୦ ଟି ଆମ ବସ ଚାଲୁଅଛି । ଏହି ଚଢ଼ାଉ ବେଳେ ଗଞ୍ଜାମ ଆରଟିଓ ଇଂ ଦେବାଶିଷ ସ୍ୱାଇଁ, ଜୁନିୟର ଏମଭିଆଇ ତାରାକାନ୍ତ ନନ୍ଦଙ୍କ ସମେତ ଏନ୍ସଫୋର୍ସମେଣ୍ଟ ଟିମ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ, ଶନିବାର ଭୁବନେଶ୍ୱରରେ ‘ଆମ ବସ୍’ ଦୁର୍ଘଟଣା ଯୋଗୁଁ ଜଣକ ମୃତ୍ୟୁ ଘଟିଥିଲା । ଯାହାଫଳରେ ପରିବହନ ବିଭାଗ ପକ୍ଷରୁ ଆକ୍ସନ ଆରମ୍ଭ ହୋଇଛି ।


