Categories: ଫୁରସତ

କୁକୁରକୁ ବାଘ ଭଳି ରଙ୍ଗ ଲଗାଇ ରାସ୍ତାକୁ ଛାଡ଼ିଥିଲେ: ଏବେ ଅଭିଯୁକ୍ତକୁ ଧରିବାକୁ ହେଲା ପୁରସ୍କାର ଘୋଷଣା

ପଶୁପକ୍ଷୀମାନଙ୍କ ପ୍ରତି କ୍ରୁରତାର ଅନେକ ଘଟଣା ଲୋକଲୋଚନକୁ ଆସିଛି। ସେଭଳି ଏକ ଘଟଣାକ୍ରମରେ ଏକ କୁକୁରକୁ କେହି ଦୁର୍ବୃତ୍ତ ବାଘ ଭଳି ରଙ୍ଗ କରି ରାସ୍ତାକୁ ଛାଡ଼ିଦେଇଥିଲେ। ମାଲେସିଆରେ ଏଭଳି ମାମଲା ନଜରକୁ ଆସିବା ପରେ ଜୀବ ସଂରକ୍ଷଣ ସହ ଜଡ଼ିତ କିଛି ସଂଗଠନ ଏହାକୁ ତୀବ୍ର ନିନ୍ଦା କରିଛି। ଏଥିସହ ଏପରି କରିଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଦାବି କରିଛି।

ମାଲେସିଆ ଆନିମଲ ଆସୋସିଏଶନ ପକ୍ଷରୁ କମଳା ଏବଂ କଳା ରଙ୍ଗ ଚିତ୍ରିତ କୁକୁରର ଫଟୋକୁ ଶେୟାର କରାଯାଇଛି। ଏପରି କରିବା ଜୀବ ସଂରକ୍ଷଣ ନିୟମର ଉଲ୍ଲଂଘନ। କୁକୁରର ମାଲିକ କିଏ ନଚେତ ଏପରି କିଏ କରିଛି ତାହା ଜାଣିବାରେ ସାହାଯ୍ୟ କରନ୍ତୁ ବୋଲି ସଂଗଠନର ପ୍ରବକ୍ତା ନିଜର ଫେସବୁକ୍‌ ପୃଷ୍ଠାରେ ଲେଖିଛନ୍ତି। ଏନେଇ ଖବର ଦେବା ଲୋକଙ୍କୁ ପୁରସ୍କାର ମଧ୍ୟ ଦିଆଯିବ ବୋଲି ସେ କହିଛନ୍ତି। ଅପରପକ୍ଷେ ସ୍ଥାନୀୟ ପ୍ରଶାସନ ମଧ୍ୟ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଛି। ଏହାକୁ ମଧ୍ୟ ନିନ୍ଦା କରାଯାଉଛି। କୃତ୍ରିମ ରଙ୍ଗ ଲଗାଇବା ଦ୍ୱାରା ସେମାନଙ୍କ ତ୍ୱଚା, ଆଖି ଖରାପ ହେବା ସହ ବିଭିନ୍ନ ପ୍ରକାର ରୋଗ ହୋଇପାରେ ବୋଲି ଲୋକେ କହୁଛନ୍ତି।

ପୂର୍ବରୁ କର୍ନାଟକର ଶିବମୋଗାରେ ଜଣେ କୃଷକ ନିଜ କୁକୁରକୁ ବାଘ ଭଳି ରଙ୍ଗ ଲଗାଇଥିବା ଚର୍ଚ୍ଚାରେ ଆସିଥିଲା। ମାଙ୍କଡ଼ମାନେ ଫସଲ ନଷ୍ଟ କରିବାକୁ ନେଇ ସେ ଏଭଳି ଉପାୟ ଆପଣାଇଛନ୍ତି ବୋଲି କହିଥିଲେ। ଏପରି କରିବା ଦ୍ୱାରା ସେମାନେ ଫସଲ ଖାଇବାକୁ ଆସୁନଥିବା ସେ କହିଥିଲେ।

Share