ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ ରାତି ଯାଏ ମୃତକଙ୍କ ପରିବାର ବର୍ଗ ଓ ସମ୍ପର୍କୀୟ ରାସ୍ତା ଅବରୋଧ କରିଥିଲେ।
ଏହାର ସମାଧାନ ନ ହେବାରୁ ଆନ୍ଦୋଳନକାରୀ ଆଇନକୁ ହାତକୁ ନେଇ ଥାନା ପରିସରରେ ଥିବା ମୁଖ୍ୟ ଫାଟକର ତାଲା ଭାଙ୍ଗିବା ସହ ପଥର ମାଡ଼ କରିଥିଲେ। ଏଥିଯୋଗୁ ଥାନାର ଝରକା କାଚ ଭାଙ୍ଗିବା ସହିତ ଜଣେ ଏସ୍ଆଇ ଓ କନଷ୍ଟେବଳ ଆହତ ହୋଇଥିଲେ। ତେବେ ପୋଲିସକୁ ପଥର ମାଡ଼ ଆନ୍ଦୋଳନକାରୀଙ୍କୁ ମହଙ୍ଗା ପଡିଛି। ଶନିବାର ଏହି ଘଟଣାରେ ପୋଲିସ ଏକ ମାମଲା (ନଂ.୪୩/୨୫) ରୁଜୁ କରି ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସେମାନେ ହେଲେ ଥୁଆମୂଳ ରାମପୁର ଥାନା ଡୁମେରପଦର ଗ୍ରାମର ନିଧନ ନାଏକ, ନେପାଳ ନାଏକ, ଟିବୁ ନାଏକ, ଲକ୍ଷ୍ମୀ କାନ୍ତ ନାଏକ ଓ ଚକ୍ରଧର ନାଏକ। ତେବେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ ସୂଚନା ଦେଇଛନ୍ତି।
ଏହାସହିତ ଡୁମେରପଦର ଗ୍ରାମ ବିରମଲଗୁଡା ପଡାର ଅନ୍ୟ ୩୦ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର ଡୁମେରପଦର ଗ୍ରାମର ଫିରୋଜ ନାଏକ ଓ ଦୀପେନ୍ଦ୍ର ନାଏକ ଏକ ବାଇକ୍ରେ ଘରକୁ ଯାଉଥିବା ବେଳେ ଲାଠିଆଗୁଡ଼ା ଛକ ନିକଟରେ ଅନ୍ୟ ଏକ ବାଇକ ସହ ଧକ୍କା ହୋଇଥିଲା।
ଏଥିରେ ଫିରୋଜ ଗୁରୁତର ହୋଇ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ଦୀପେନ୍ଦ୍ର ଗୁରୁତର ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଓ ଆହତଙ୍କ ପରିବାର ଲୋକେ କ୍ଷତିପୂରଣ ଦାବିନେଇ ଥାନା ଘେରାଉ ସହ ରାସ୍ତା ଅବରୋଧ କରିଥିଲେ। ପରେ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅତିରିକ୍ତ ମାଜିଷ୍ଟେଟ (ତହସିଲଦାର) ନିରୋଜ କୁମାର ଭତ୍ରା ଓ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଥାନାରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ ସମାଧାନ ହୋଇ ନ ଥିଲା। ପରେ ଘଟଣା ଉଗ୍ରରୂପ ନେଇଥିଲା। ଆନ୍ଦୋଳନ କାରୀ ଉତ୍ତ୍ୟକ୍ତ ହୋଇ ଥାନା ଉପରକୁ ପଥର ମାଡ଼ କରିଥିଲେ।


