ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର ସୂଚନା ପୋଲିସ ପାଖରୁ ନୁହେଁ, ବରଂ ଏକ ଟ୍ରାଫିକ ଚାଲାଣରୁ ମିଳିଛି। ଏହି ଘଟଣାଟି ଯେତିକି ଚକିତ କଲାଭଳି, ସେତିକି ମଜାଦାର ମଧ୍ୟ। ପୋଲିସ ତଦନ୍ତ ନୁହେଁ ବରଂ ଏକ ଟ୍ରାଫିକ ଚାଲାଣ କଟା ହେବା ପରେ ଚୋରି ହୋଇଥିବା ଗାଡ଼ିର ସନ୍ଧାନ ମିଳିଛି। ହାଇଦ୍ରାବାଦର ଫୈଜଲ ରେହମାନ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଏହି ଅଜବ ଘଟଣା ଘଟିଛି।
ଫୈଜଲଙ୍କ ସ୍କୁଟି ପ୍ରାୟ ତିନି ମାସ ପୂର୍ବେ ଚୋରି ହୋଇଯାଇଥିଲା। ଏନେଇ ସେ ହବିବ ନଗର ପୋଲିସ ଷ୍ଟେଶନରେ ଏଫଆଇଆର (FIR) ମଧ୍ୟ ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ଧରି ପୋଲିସ ଗାଡ଼ିର କୌଣସି ପତ୍ତା ପାଇ ନ ଥିଲା। ହଠାତ ଦିନେ ଫୈଜଲଙ୍କ ପାଖକୁ ଟ୍ରାଫିକ ନିୟମ ଉଲ୍ଲଂଘନ ନେଇ ଏକ ଚାଲାଣ କଟିବାର ମେସେଜ ଆସିଥିଲା।
ଯେତେବେଳେ ଫୈଜଲ ଚାଲାଣର ବିବରଣୀ ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ଚାଲାଣଟି ତାଙ୍କର ସେହି ଚୋରି ହୋଇଥିବା ସ୍କୁଟିର ଥିଲା। ସବୁଠାରୁ ବଡ଼ କଥା ହେଉଛି, ଟ୍ରାଫିକ କ୍ୟାମେରାରେ ସ୍କୁଟି ଚଲାଉଥିବା ବ୍ୟକ୍ତିର ଚେହେରା ଅତି ସ୍ପଷ୍ଟ ଭାବେ ଦେଖାଯାଉଥିଲା। ଏହି ଫଟୋକୁ ପ୍ରମାଣ ଭାବେ ନେଇ ଫୈଜଲ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ (ଟୁଇଟର)ରେ ପୋଷ୍ଟ କରିବା ସହ ହାଇଦ୍ରାବାଦ ପୋଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।
ତେବେ ଏହି ମାମଲାରେ ସାବଧାନତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଫଟୋରେ ଦେଖାଯାଉଥିବା ବ୍ୟକ୍ତି ଜଣକ ପ୍ରକୃତ ଚୋର ନ ହୋଇ ମଧ୍ୟ ପାରନ୍ତି। ଅନେକ ସମୟରେ ଚୋରମାନେ ଗାଡ଼ି ଚୋରି କରିବା ପରେ ନକଲି କାଗଜପତ୍ର ପ୍ରସ୍ତୁତ କରି ତାହାକୁ ଅନ୍ୟ କାହାକୁ ଶସ୍ତାରେ ବିକ୍ରି କରିଦିଅନ୍ତି। ତେଣୁ ସେହି ବ୍ୟକ୍ତି ଜଣକ ଜଣେ ନିର୍ଦ୍ଦୋଷ କ୍ରେତା ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।
ଏହି ପୋଷ୍ଟଟି ଏବେ ଇଣ୍ଟରନେଟରେ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି। କିଛି ଲୋକ ଏହାକୁ ପୋଲିସର ବିଫଳତା କହୁଥିବା ବେଳେ, ଅନ୍ୟ କିଛି ଲୋକ ମଜାଳିଆ ଢଙ୍ଗରେ କହିଛନ୍ତି ଯେ “ବୋଧହୁଏ ଚୋରଟି ଜାଣିନଥିଲା ଯେ ରାସ୍ତାରେ କ୍ୟାମେରା ଲାଗିଛି!
”
Dharitri – Odisha’s No.1 Odia Daily