ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ; ଆର୍‌ସିବି ସାମ୍ନାରେ ୧୯୭ ରନ ଟାର୍ଗେଟ୍‌ ରଖିଲା ଦିଲ୍ଲୀ

ଦୁବାଇ, ୫।୧୦: ଚଳିତ ଆଇପିଏଲ୍‌ର ସୋମବାର ଖେଳାଯାଇଥିବା ୧୯ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୯୬ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ମାର୍କସ ଷ୍ଟୋଇନିସ ୨୬ ବଲରୁ ୫୩ ରନର ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୃଥ୍ବୀ ଶ ୪୨, ଶିଖର ଧାଓ୍ବନ ୩୨, ଅଧିନାୟକ ଶ୍ରେୟାସ ଆୟାର ୧୧, ରିଷଭ ପନ୍ତ ୩୭ ଓ ସିମରନ ହେଟ୍‌ମେୟର ଅପରାଜିତ ୧୧ ରନ କରିଥିଲେ। ପ୍ରତିପକ୍ଷ ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ ୨ଟି ଉଇକେଟ୍‌ ନେଇଥିଲେ।
ଟୁର୍ନାମେଣ୍ଟରେ ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ୪ ମ୍ୟାଚ୍‌ରୁ ୩ ବିଜୟ ସହ ୬ ପଏଣ୍ଟ ପାଇ ମୁମ୍ବାଇ ଇଣ୍ଡିଆନ୍ସ ପଛକୁ ଟେବୁଲ ତାଲିକାର ୨ୟ ସ୍ଥାନରେ ରହିଛି। ଅପରପକ୍ଷରେ ବାଙ୍ଗାଲୋର ୪ ମ୍ୟାଚ୍‌ରୁ ୩ ବିଜୟ ହାସଲ କରିଥିଲେ ମଧ୍ୟ ରେଟିଂ ଦୃଷ୍ଟିରୁ ୩ୟ ସ୍ଥାନରେ ରହିଛି। ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇପିଏଲ୍‌ର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ଅମିତ୍‌ ମିଶ୍ରାଙ୍କ ସ୍ଥାନରେ ଦିଲ୍ଲୀ ଦଳରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଛି। ସେହିଭଳି ଆଡାମ ଜାମ୍ପା ଓ ଗୁରକୀରଟ୍‌ ସିଂ ମନ୍ନଙ୍କ ସ୍ଥାନରେ ମୋଇନ ଅଲୀ ଓ ମହମ୍ମଦ ସିରାଜ ବାଙ୍ଗାଲୋର ଦଳରେ ଦୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

Share