Categories: ବାଣିଜ୍ୟ

ରେକର୍ଡ ସ୍ତରରେ ଶେୟାର ବଜାର

ନୂଆଦିଲ୍ଲୀ: ଭାରତୀୟ ପୁଞ୍ଜିବଜାରରେ ଊର୍ଦ୍ଧ୍ୱଗାମୀ ଧାରା ଲାଗି ରହିଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ବର୍ତ୍ତମାନର ରେକର୍ଡ ସ୍ତରରେ ରହିଛି। ସେନ୍‌ସେକ୍ସ ୨୨୩.୮୮ ପଏଣ୍ଟ(୦.୪୮%) ଊର୍ଦ୍ଧ୍ୱରେ ରହିବା ଯୋଗୁ ୪୬,୮୯୦ ପଏଣ୍ଟ ସ୍ତରରେ କାରବାର ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୫୮ ପଏଣ୍ଟ ବା (୦.୪୨%) ଊର୍ଦ୍ଧ୍ୱରେ ରହିବା ଫଳରେ ୧୩,୭୪୦ ପଏଣ୍ଟରେ ବନ୍ଦ ହୋଇଥିବା ନଜରକୁ ଆସିଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୪୬,୯୯୨ ପଏଣ୍ଟ ଏବଂ ନିଫ୍ଟି ୧୩,୭୭୩ ପଏଣ୍ଟ ଛୁଇଁଥିଲା। ସୂଚନାଯୋଗ୍ୟ, ଗୁରୁବାର ସାରା ବିଶ୍ୱର ଶେୟାର ବଜାରଗୁଡ଼ିକରେ ଗୁରୁବାର ଉନ୍ନତ ଟ୍ରେଣ୍ଡ ନଜରକୁ ଆସିଥିଲା। ଭାରତୀୟ ଶେୟାର ବଜାରରେ ବିଦେଶୀ ସଂସ୍ଥାଗତ ନିବେଶକମାନେ ନିବେଶ ବଢ଼ାଇବା ଯୋଗୁ ଉନ୍ନତ ସ୍ଥିତିରେ ରହିଥିବା ଜଣାପଡ଼ିଛି।
ପୁଞ୍ଜିବଜାରରେ ଏଚ୍‌ଡିଏଫ୍‌ସି, ଟିସିଏସ୍‌, ରିଲାଏନ୍ସ ଶେୟାର ଉନ୍ନତ କାରବାର କରିଛି। ଟପ୍‌ ଗେନର ଭାବେ ଏଚ୍‌ଡିଏଫ୍‌ସିର ଶେୟାର ୩% ବଢିଛି। ଏହାବାଦ ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇଣ୍ଡସ ଇଣ୍ଡ ବ୍ୟାଙ୍କ, ପାଓ୍ବାର ଗ୍ରୀଡ୍‌, ଅଲ୍‌ଟ୍ରା ଟେକ୍‌ ସିମେଣ୍ଟ, ଟିସିଏସ୍‌ ଟେକ୍‌ ମହିନ୍ଦ୍ରା ଏବଂ ଏଲ୍‌ଆଣ୍ଡଟି ଭଳି କମ୍ପାନୀଗୁଡିକର ଶେୟାର କାରବାର ବେଶ୍‌ ଉନ୍ନତ ରହିଛି। ଅନ୍ୟ ଅର୍ଥରେ ବୁଝିବାକୁ ଗଲେ ଷ୍ଟକ୍‌ ବଜାରରେ ଫାଇନାନ୍ସ, ରିୟଲିଟି ଏବଂ ଆଇଟି ଭଳି ଶେୟାରର କିଣାବିକା ବଢ଼ିବାରୁ କାରବାର ବଢିଛି। ଘରୋଇ ବଜାରର ଶେୟାର ଉପରେ ନିବେଶକ ଅଧିକ ଭରସା ଦେଖାଇଥିଲେ। ଶେୟାର ବଜାରରେ ଅଏଲ, ଅଟୋମୋବାଇଲ ଏବଂ ଫାର୍ମା ଶେୟାର ପ୍ରଭାବିତ ରହିଥିଲା। ଓଏନ୍‌ଜିସି, ମାରୁତି, ଟାଟାଷ୍ଟିଲ୍‌, ହିନ୍ଦୁସ୍ଥାନ ୟୁନିଲିଭର, ବଜାଜ ଅଟୋ ଏବଂ ସନ୍‌ ଫାର୍ମା ଶେୟାରରେ ହ୍ରାସ ପରିଲକ୍ଷିତ ହୋଇଛି। ବିଦେଶୀ ନିବେଶକମାନେ ଗୁରୁବାର ୧୯୮୧କୋଟି ଟଙ୍କାର କିଣାବିକା କରିଛନ୍ତି।

Share