ଷ୍ଟିମ୍‌ ପାଇପ ଫାଟି ଶ୍ରମିକ ଆହତ ଘଟଣା: କ୍ଷତିପୂରଣ ଦେବାକୁ ଶୁଣୁନି କମ୍ପାନୀ, ଆନ୍ଦୋଳନ ଜାରି

ଗଞ୍ଜାମ,୭ା୧୦(ଡି.ଏନ୍‌.ଏ.): ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ମଙ୍ଗଳବାର ଷ୍ଟିମ୍‌ ପାଇପ ଫାଟି କମ୍ପାନୀ ଇଞ୍ଜିନିୟରଙ୍କ ସମେତ ତିନିଜଣ ଠିକା ଶ୍ରମିକ ଆହତ ହୋଇଥିଲେ। ବର୍ତ୍ତମାନ ଆହତ ଶଙ୍କର ରାଉଳଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶରୀରର ସମ୍ପୂର୍ଣ୍ଣ ଅଙ୍ଗ ପୋଡ଼ିଯାଇଛି l ସମସ୍ତ ଆହତଙ୍କୁ କ୍ଷତିପୂରଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ତଥା ସର୍ବଦଳୀୟ ନେତାମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କଠାରେ ଗୁରୁତରଙ୍କୁ ୫୦ ଲକ୍ଷ, ସମ୍ପର୍କୀୟଙ୍କୁ ନିଯୁକ୍ତି ଓ ଆହତଙ୍କୁ ୧୫ ଲକ୍ଷ ଟଙ୍କା ସହ ମାଗଣା ଚିକିତ୍ସା ଯୋଗାଇବା ପାଇଁ ଦାବି କରି ଆସୁଥିଲେ ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ ଦାବି ସମ୍ପର୍କରେ କର୍ଣ୍ଣପାତ କରୁନାହାନ୍ତି। ତେଣୁ ଏହି ଆନ୍ଦୋଳନ ଜାରି ରହିଥିବା ଜଣାପଡ଼ିଛି। ଏହି ଆନ୍ଦୋଳନରେ କମ୍ପାନୀ ରେକୋଗନାଇଜ ଏମ୍ପ୍ଲଏଜ୍‌ ୟୁନିୟନ ସେକ୍ରେଟାରୀ ରଞ୍ଜିତ ପ୍ରଧାନ, ଜୟଶ୍ରୀ ଶ୍ରମିକ ସଂଗଠନ ନେତା ଶ୍ୟାମା ରେଡ୍ଡୀ, ସେକ୍ରେଟାରୀ ଅର୍ଜୁନ ସାହୁ, ଶ୍ରମିକ ନେତା ବୃନ୍ଦାବନ ପଲେଇ,କୈଳାସ ପଲେଇ, ନୀଳାଞ୍ଚଳ ବାରିକ୍‌, ବିଜେଡି ନେତା ସୁଧୀର କୁମାର ପାଢ଼ୀ, ବଣିକ ସଂଘ ସଭାପତି ଗୌରୀ ଶଙ୍କର ବାରିକ୍‌, ଭାଜପା ନେତା ପ୍ରଶାନ୍ତ କର, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀ, ଠିକା ଶ୍ରମିକ ସଂଗଠନ ନେତା ଜୟ କୃଷ୍ଣ ବାରିକ୍‌ ପ୍ରମୁଖ ସାମିଲ ଅଛନ୍ତି l କମ୍ପାନୀ କର୍ତ୍ତୃପକ୍ଷ ଦାବି ନ ଶୁଣିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ମିଳିଛି। ସେଠାରେ ଉତ୍ତେଜନା ପରିସ୍ଥିତି ଥିବା ହେତୁ ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି।