‘ତମ୍ବୁ ତଳେ ରହୁଛି, ଘର ଦିଅ’

ଢେଙ୍କାନାଳ ଅଫିସ, ୯।୬: ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପ୍ରଶାସନ ନିକଟକୁ ଧାଇଁ ଧାଇଁ ଥକି ପଡ଼ିଥିବା ଜଣେ ମହିଳା ବୁଧବାର ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଠିକ୍‌ ସମୟରେ ପୋଲିସ ପହଞ୍ଚତ୍ୟିବାରୁ ଏକ ବଡ଼ ଧରଣର ଅଘଟଣକୁ ଟାଳି ଦିଆଯାଇଛି। ସମ୍ପୃକ୍ତା ସ୍ବାମୀ ପରିତ୍ୟକ୍ତା ମହିଳା ତମ୍ବୁ ତଳେ ଛୋଟ ଛୋଟ ଝିଅପୁଅଙ୍କୁ ନେଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଘର ଖଣ୍ଡିଏ ଦେବା ପାଇଁ ନେହୁରା ହେବା ସତ୍ତ୍ୱେ ପ୍ରଶାସନିକ ଅଧିକାରୀ ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି।
ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣକ ହେଲେ ସସ୍ମିତା ରାଉତ। ତାଙ୍କ କହିବା କଥା, ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ କୋଇଲିପାଙ୍ଗି ଗ୍ରାମରେ ସେ ଏକ କୁଡ଼ିଆ ଘରେ ରହି ଆସୁଥିଲେ। ମରାମତି କରିବାକୁ ଅର୍ଥ ନ ଥିବାରୁ ତାହା ଭାଙ୍ଗିଯାଇଛି। ଅତି ଦୟନୀୟ ଅବସ୍ଥାରେ ତମ୍ବୁତଳେ ପରିବାର ସହ ଦିନ ବିତାଉଛନ୍ତି। ପଡ଼ୋଶୀମାନେ ତାଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଛନ୍ତି। ଜିଲାପାଳଙ୍କୁ ସମସ୍ୟା ଜଣାଇବାକୁ ୨ ଥର ଆସିଥିଲେ ମଧ୍ୟ ତାଙ୍କୁ ଭେଟ କରିବାକୁ ସୁଯୋଗ ଦିଆଯାଉନାହିଁ। ସବୁ ଆଡୁ ନିରାଶ ହେବା ପରେ ସସ୍ମିତା ଏକ କାଚ ବୋତଲ ଭାଙ୍ଗି ହାତ କାଟିବା ପରେ ବେକ କାଟିବାକୁ ଉଦ୍ୟମ କରୁଥିବା ବେଳେ ଟାଉନ ଥାନା ପୋଲିସ ପହଞ୍ଚତ୍ ତାଙ୍କୁ କାବୁ କରିନେଇଥିଲା। ପରିବାରର ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଆବାସ ଯୋଜନାରେ ଏକ ଘର ଯୋଗାଇ ଦେବା ସହ ପିଲାମାନଙ୍କ ପାଠ ପଢ଼ିବା ପାଇଁ ସହାୟତାର ହାତ ବଢ଼ାଇବାକୁ ସସ୍ମିତା ନିବେଦନ କରିଛନ୍ତି। ଅନ୍ୟପଟେ ତାଙ୍କୁ ବୁଝାଶୁଝା କରାଇ ଘରକୁ ପଠାଇ ଦିଆଯାଇଥିବା ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ା
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୯ରେ ସସ୍ମିତା ଜିଲା କାର୍ଯ୍ୟାଳୟ ପରିସରରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା।