ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ ଅତି ପ୍ରଭାବଶାଳୀ ସ୍ଥାନ ଅଧିକାର କରିଥିଲେ। ଦୁହେଁ ଦୃଢ଼ ଆଭ୍ୟନ୍ତରୀଣ ଶୃଙ୍ଖଳା, ଖାଦ୍ୟପେୟ ନିୟମ, ଶିକ୍ଷାଗତ ପରମ୍ପରା ଏବଂ ବ୍ୟବସାୟିକ ନୈତିକତାକୁ ପାଳନ କରୁଥିଲେ। ତଥାପି, ୟୁରୋପରେ ବାରମ୍ୱାର ହିଂସାତ୍ମକ ଇହୁଦୀ-ବିରୋଧୀ ମନୋଭାବ ସୃଷ୍ଟି ହେବାରୁ ତାହା ଗଣହତ୍ୟାର ରୂପ ନେଲା। ହେଲେ ଭାରତ କେବେ ବି ଏକ ଦୀର୍ଘସ୍ଥାୟୀ ଜୈନ-ବିରୋଧୀ ବିନାଶକାରୀ ମନୋଭାବ ପ୍ରକାଶ କରିନାହିଁ। ଏହା ଏକ ସାଂସ୍କୃତିକ ବା ସଭ୍ୟତାଗତ ମନୋଭାବକୁ ପ୍ରକଟ କରିଛି।
ଇତିହାସରୁ ଜଣାଯାଏ ପଶ୍ଚିମ ଏବଂ ଦକ୍ଷିଣ ଭାରତରେ ଜୈନ ସମ୍ପ୍ରଦାୟଗୁଡ଼ିକ ବ୍ୟାଙ୍କର, ବ୍ୟବସାୟୀ, ଅର୍ଥଦାତା, ଅଳଙ୍କାର ବେପାରୀ, କର ସଂଗ୍ରାହକ ଏବଂ ମନ୍ଦିର ଓ ପୁରାତନ ପାଣ୍ଡୁଲିପିର ପୃଷ୍ଠପୋଷକ ଭାବରେ ସମୃଦ୍ଧି ଲାଭ କରିଥିଲେ। ସେମାନେ ମଧ୍ୟଯୁଗୀୟ ୟୁରୋପର ଇହୁଦୀ ବ୍ୟବସାୟୀ ଏବଂ ବ୍ୟାଙ୍କିଙ୍ଗ୍ ସମ୍ପ୍ରଦାୟ ଭଳି ସମାନ ଅର୍ଥନୈତିକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଉଭୟ ସମ୍ପ୍ରଦାୟର ବିଦ୍ୟାଳୟ, ଡାକ୍ତରଖାନା ଏବଂ ସାଂସ୍କୃତିକ କେନ୍ଦ୍ର ଭଳି ସାମାଜିକ ଅନୁଷ୍ଠାନରେ ଯୋଗଦାନ ରହୁଥିଲା। କିନ୍ତୁ ସେମାନଙ୍କ ମଧ୍ୟରେ ଏଭଳି ସମାନତା ରହିଥିଲେ ମଧ୍ୟ ଧର୍ମୀୟ ସ୍ଥିତିରେ ବଡ଼ ପାର୍ଥକ୍ୟ ଥିଲା । ଖ୍ରୀଷ୍ଟିଆନ ବହୁଳ ୟୁରୋପରେ ଇହୁଦୀଙ୍କୁ ସବୁବେଳେ ବାହାର ଲୋକ ଭାବେ ଦେଖାଯାଉଥିଲା। ଇହୁଦୀମାନେ ଯିଶୁଖ୍ରୀଷ୍ଟଙ୍କୁ ଅସ୍ୱୀକାର କରୁଥିବା ଅଭିଯୋଗ ଉଠିବାରୁ ସେମାନେ ଖ୍ରୀଷ୍ଟିଆନ ଚିନ୍ତାଧାରାର ସ୍ଥାୟୀ ବିରୋଧୀ ରୂପେ ପରିଗଣିତ ହେଲେ। ଏହି ଶତ୍ରୁତା ବା ବିଦ୍ୱେଷ ଭାବ ଧର୍ମୀୟ ବ୍ୟବସ୍ଥା ଭିତରେ ହିଁ ସୃଷ୍ଟି ହୋଇଥିଲା। ଅପରପକ୍ଷେ ଜୈନମାନେ ଭାରତୀୟ ଧର୍ମୀୟ ପରମ୍ପରାରୁ ସୃଷ୍ଟି ହୋଇଥିଲେ। ବ୍ରାହ୍ମଣ ଏବଂ ଜୈନମାନଙ୍କ ମଧ୍ୟରେ କର୍ମ ସିଦ୍ଧାନ୍ତ, ପୁନର୍ଜନ୍ମ, ସନ୍ନ୍ୟାସ, ତୀର୍ଥଯାତ୍ରା, ଉପବାସ, ମଠବାଦ, ବ୍ରହ୍ମାଣ୍ଡ ତତ୍ତ୍ୱଜ୍ଞାନ ଏବଂ ରୀତିନୀତିର ପବିତ୍ରତା ଭଳି ଚିନ୍ତାଧାରାକୁ ନେଇ ଅନେକ ସମାନତା ଥିଲା। ଜୈନମାନେ ପଶୁବଳି ପ୍ରଥାର ବିରୋଧୀ ଥିଲେ ଏବଂ ଶେଷରେ ଅନେକ ବ୍ରାହ୍ମଣ ସମୁଦାୟକୁ ସେମାନଙ୍କର ମାର୍ଗ ବଦଳାଇବା ପାଇଁ ପ୍ରଭାବିତ କରିଥିଲେ।
ଦ୍ୱିତୀୟ ପାର୍ଥକ୍ୟ ଥିଲା ରାଜନୈତିକ ବ୍ୟବସ୍ଥାରେ। ୟୁରୋପରେ ଚର୍ଚ୍ଚ ମାଧ୍ୟମରେ କ୍ରମାଗତ ଭାବରେ କେନ୍ଦ୍ରୀକୃତ ଧର୍ମୀୟ ବ୍ୟବସ୍ଥା ଗଢ଼ିଉଠିଥିଲା। ପାରମ୍ପରିକ ଧର୍ମୀୟ ମାନ୍ୟତା ରାଜନୈତିକ ବ୍ୟବସ୍ଥା ସହିତ ଜଡ଼ିତ ହୋଇଗଲା। ଫଳରେ ଧର୍ମବିରୋଧୀ ଚିନ୍ତାଧାରା ସାମାଜିକ ପତନର ଭୟ ସୃଷ୍ଟି କଲା। ଏହି ସମୟରେ ଇହୁଦୀମାନେ ଖ୍ରୀଷ୍ଟିଆନ ମୁକ୍ତି ସିଦ୍ଧାନ୍ତକୁ ସମ୍ପୂର୍ଣ୍ଣ ଅସ୍ୱୀକାର କଲେ। ଫଳରେ ସମଗ୍ର ମହାଦେଶରେ ସେମାନଙ୍କୁ ବାସନ୍ଦ କରିବା ଏବଂ ସଙ୍ଗଠିତ ଭାବେ ନିର୍ଯାତନା ଦେବାର ବାଟ ଫିଟିଗଲା। ୧୨୯୦ରେ ଇଂଲଣ୍ଡ, ୧୪୯୨ରେ ସ୍ପେନ୍ ଏବଂ ଜର୍ମାନୀର ଅନେକ ଅଞ୍ଚଳରେ ଏହା ଦେଖିବାକୁ ମିଳିଥିଲା ଏବଂ ଫ୍ରାନ୍ସରେ ଏଭଳି ଘଟଣା ବାରମ୍ୱାର ଘଟିଥିଲା।
ଇତିହାସରୁ ଜଣାଯାଏ ଯେ, ଭାରତରେ ଏପରି କୌଣସି ସର୍ୱଭାରତୀୟ ଧର୍ମୀୟ ସଂସ୍ଥା ନ ଥିଲା, ଯାହା ସମଗ୍ର ଦେଶରେ କୌଣସି ଧର୍ମକୁ ସମୂଳେ ନଷ୍ଟ କରିବାର ଅଭିଯାନ ଚଳାଇପାରୁଥିଲା। କ୍ଷମତା ଓ ଶକ୍ତି ବିଭିନ୍ନ ରାଜ୍ୟ, ସମ୍ପ୍ରଦାୟ, ଜାତି, ମନ୍ଦିର, ମଠ ଏବଂ ଆଞ୍ଚଳିକ ପରମ୍ପରା ମଧ୍ୟରେ ବିଭାଜିତ ହୋଇରହିଥିଲା। ତେଣୁ ସଂଘର୍ଷ ହେଲେ ମଧ୍ୟ ସେଗୁଡ଼ିକ ସ୍ଥାନୀୟ ସ୍ତରରେ ସୀମିତ ଥିଲା। ତେବେ ସପ୍ତମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଦକ୍ଷିଣ ଭାରତରେ ଜୈନ ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା। କାରଣ ସେହି ସମୟରେ ରାଜତନ୍ତ୍ରର ସମର୍ଥନରେ ଶୈବ ଏବଂ ବୈଷ୍ଣବ ଧର୍ମର ଉତ୍ଥାନ ହୋଇସାରିଥିଲା। ତାମିଲ ଶୈବ ସାହିତ୍ୟରେ ଜୈନମାନଙ୍କ ସହ ତର୍କ, ସେମାନଙ୍କ ଅପମାନ ଏବଂ ସେମାନଙ୍କୁ ଶୂଳିରେ ଚଢ଼ାଇବା ଭଳି ଘଟଣାର ବର୍ଣ୍ଣନା ରହିଛି। ଏହି କାହାଣୀଗୁଡ଼ିକ ରାଜନୈତିକ ସମର୍ଥନ ଏବଂ ସାମାଜିକ ପ୍ରତିଷ୍ଠା ପାଇଁ ଚାଲିଥିବା ପ୍ରକୃତ ପ୍ରତିଯୋଗିତାକୁ ଦର୍ଶାଏ। କିନ୍ତୁ ଏହା ଦ୍ୱାରା ୟୁରୋପ ଭଳି କୌଣସି ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ବିଲୁପ୍ତ କରିବାର କୌଣସି ବଡ଼ ଯୋଜନା ଏଠାରେ ସୃଷ୍ଟି ହୋଇ ନ ଥିଲା।
ୟୁରୋପରେ ଇହୁଦୀ ବିରୋଧୀ ପଛରେ ଅର୍ଥନୈତିକ କାରଣ ଥିଲା। ଖ୍ରୀଷ୍ଟ ଧର୍ମଶାସ୍ତ୍ର ଖ୍ରୀଷ୍ଟିଆନଙ୍କ ମଧ୍ୟରେ ସୁଧ କାରବାରକୁ ନିଷେଧ କରିଥିବାରୁ ୟୁରୋପରେ ଇହୁଦୀ ସମ୍ପ୍ରଦାୟଗୁଡ଼ିକର ଆର୍ଥିକ ବୃତ୍ତି ପ୍ରାୟତଃ ସୀମିତ ହୋଇଯାଇଥିଲା। କାରଣ ରାଜାମାନେ ଇହୁଦୀ ଋଣଦାତାଙ୍କଠାରୁ ପ୍ରଚୁର ଋଣ ନେଉଥିଲେ ଏବଂ ସମୟେ ସମୟେ ସେମାନଙ୍କୁ ବହିଷ୍କାର ବା ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରି ଋଣମୁକ୍ତ ହେଉଥିଲେ। ଦୁର୍ଭିକ୍ଷ, ମହାମାରୀ କିମ୍ୱା ଯୁଦ୍ଧ ସମୟରେ ଇହୁଦୀମାନେ ଅତ୍ୟଧିକ ନିର୍ଯାତିତ ହେଉଥିଲେ। ଧର୍ମୀୟ ଶତ୍ରୁତା ସହ ଅର୍ଥନୈତିକ ଅସନ୍ତୋଷ ବି ରହିଥିଲା। ହେଲେ ଭାରତରେ ଜୈନ ବ୍ୟବସାୟୀମାନଙ୍କ ଶକ୍ତି ଏକ ବ୍ୟାପକ ବିକେନ୍ଦ୍ରୀକୃତ ବାଣିଜି୍ୟକ ବ୍ୟବସ୍ଥା ମଧ୍ୟରେ ରହିଥିଲା। ବାଣିଜ୍ୟ ଏବଂ ଅର୍ଥନୀତି ବଣିଆ, ସାହୁକାର, କୁମୁଟି, ମାରୱାଡି, ବ୍ରାହ୍ମଣ ହିସାବରକ୍ଷକ, ମୁସଲିମ ବ୍ୟବସାୟୀ ଏବଂ ବିଭିନ୍ନ ଜାତି ମଧ୍ୟରେ ବାଣ୍ଟିହୋଇ ରହିଥିଲା। କୌଣସି ଗୋଟିଏ ସଂଖ୍ୟାଲଘୁ ସମ୍ପ୍ରଦାୟ ଋଣ କିମ୍ୱା ବାଣିଜ୍ୟ କ୍ଷେତ୍ରରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ନ ଥିଲେ। ଏଥିରେ ଜାତିପ୍ରଥା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପ୍ରତ୍ୟେକ ଗୋଷ୍ଠୀ ପରସ୍ପରଠାରୁ ଦୂରତା ବଜାୟ ରଖୁଥିଲେ ଏବଂ ସେମାନଙ୍କର ନିଜସ୍ୱ ରୀତିନୀତି ତଥା ଖାଦ୍ୟପେୟ ନିୟମକୁ ପାଳନ କରୁଥିଲେ। ଏବେ ଯେଉଁ ନିରାମିଷ ଭୋଜନ, ଉପବାସ, ଦାନଧର୍ମ, ମନ୍ଦିର ସଂସ୍କୃତି ଏବଂ ପବିତ୍ର ଓ ଅପବିତ୍ରତାର ଧାରଣାକୁ ‘ଉଚ୍ଚବର୍ଗୀୟ ହିନ୍ଦୁ ପରମ୍ପରା’ ବୋଲି ଧରାଯାଏ; ସେସବୁରେ ଜୈନ ପରମ୍ପରାର ଗଭୀର ସମ୍ପର୍କ ରହିଛି।
ୟୁରୋପ ଏହାର ବିପରୀତ ଦିଗରେ ଗତି କରିଥିଲା। ୧୯ଶ ଶତାବ୍ଦୀ ସୁଦ୍ଧା ଇହୁଦୀ-ବିରୋଧୀ ମନୋଭାବ ଧର୍ମରେ ସୀମିତ ନ ରହି ଧୀରେ ଧୀରେ ଜାତିଗତ ବିଦ୍ୱେଷର ରୂପ ନେଲା। ଇହୁଦୀଙ୍କୁ କେବଳ ଖ୍ରୀଷ୍ଟଧର୍ମ ବିରୋଧୀ ଭାବରେ ନୁହେଁ ବରଂ ସେମାନଙ୍କୁ ବାହାର ଲୋକ ଭାବରେ କଳ୍ପନା କରାଗଲା। ଆଧୁନିକ ଜାତୀୟତାବାଦ, ଛଦ୍ମ-ବିଜ୍ଞାନ ଏବଂ ଶିଳ୍ପାୟନର ଅମଲାତନ୍ତ୍ର ଶେଷରେ ‘ହୋଲୋକାଷ୍ଟ’ ଆଡ଼କୁ ନେଇଗଲା। ହେଲେ ଭାରତରେ ଜୈନମାନଙ୍କୁ କେବେ ବି ବିଦେଶୀ ଆକ୍ରମଣକାରୀ, ଜାତିଗତ ବିପଦ କିମ୍ୱା ସଭ୍ୟତାର ଶତ୍ରୁ ଭାବରେ କଳ୍ପନା କରାଯାଇ ନାହିଁ। ହେଲେ କେତେକ ସମୟରେ ଜୈନମାନେ ରାଜନୈତିକ ପୃଷ୍ଠପୋଷକତା ହରାଇଥିଲେ, ସେମାନଙ୍କ ମନ୍ଦିର ଦଖଲ କରାଯାଇଥିଲା, ସାହିତି୍ୟକମାନେ ଅପମାନ ସହିଥିଲେ, ସାମ୍ରାଜ୍ୟବାଦୀ ସମର୍ଥନ ହରାଇବା ସହ ହିଂସାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଭାରତୀୟ ସଭ୍ୟତା ସବୁବେଳେ ଜୈନଙ୍କୁ ସମୂଳେ ବିନାଶ କରିବା ଅପେକ୍ଷା ସାମାଜିକ ସହାବସ୍ଥାନ, ସମନ୍ୱୟ ଓ ସାମାଜିକ ସ୍ତରକୁ ଅଧିକ ଗୁରୁତ୍ୱ ଦେଇଥିଲା।
ଏହି ପରିପ୍ରେକ୍ଷୀରେ, ଦୁଇଟି ଭିନ୍ନ ସଭ୍ୟତାଗତ ଦର୍ଶନ ସାମ୍ନାକୁ ଆସିଥିଲା। ୟୁରୋପ ପ୍ରାୟତଃ ଗୋଟିଏ ସମ୍ପ୍ରଦାୟକୁ ବହିଷ୍କାର କରି ଏକତା ଆଣିବାକୁ ଚାହଁୁଥିଲା ବେଳେ ଭାରତ ବିବିଧତାର ସହାବସ୍ଥାନ ଓ ସାମାଜିକ ସମନ୍ୱୟ ମାଧ୍ୟମରେ ସମାଜର ପରିଚାଳନା କରିଥିଲା। ଜୈନମାନଙ୍କର ଶକ୍ତି ଓ ପ୍ରଭାବକୁ ବୁଝିପାରି ଏକବିଂଶ ଶତାବ୍ଦୀର ଭାରତୀୟ ରାଜନେତାମାନେ ସେମାନଙ୍କୁ ନିଜ ସହ ସାମିଲ କରିବା ପାଇଁ ‘ହିନ୍ଦୁତ୍ୱ’ ଶବ୍ଦକୁ ପରିତ୍ୟାଗ କରି ‘ସନାତନ ଧର୍ମ’ ଶବ୍ଦର ବ୍ୟବହାର କରୁଛନ୍ତି। ଏବେ ବିଦେଶୀ ଅତିଥିଙ୍କୁ ଅନେକ ସମୟରେ କେବଳ ଶାକାହାର ଭୋଜନ ପରଷା ଯାଉଛି, ଯାହା ଜୈନ ମୁନିଙ୍କ ସାତ୍ତ୍ୱିକ ଅହିଂସା ଜୀବନଶୈଳୀର ପ୍ରଭାବକୁ ଦର୍ଶାଉଛି। ଇହୁଦୀ ଏବଂ ଜୈନମାନଙ୍କ ମଧ୍ୟରେ ପୁନର୍ଜନ୍ମର ଧାରଣାକୁ ନେଇ ମୁଖ୍ୟ ବୈଚାରିକ ପାର୍ଥକ୍ୟ ରହିଛି। ଇହୁଦୀମାନେ ଗୋଟିଏ ଜୀବନରେ ବିଶ୍ୱାସ କରୁଥିଲେ, ଯେଉଁଠି ସେମାନେ ଭଗବାନ୍ଙ୍କ ନିୟମ ଅନୁସାରେ ଚଳୁଥିଲେ ଏବଂ ସଦାସର୍ୱଦା ନିଜକୁ ଠିକ୍ ବୋଲି ଭାବନ୍ତି। ଜୈନମାନେ କର୍ମଫଳ, ଆତ୍ମନିଷ୍ଠତା, ଅନେକାନ୍ତବାଦ ଓ ସାପେକ୍ଷତା ଉପରେ ବିଶ୍ୱାସ କରନ୍ତି।
-devduttofficial@gmail.com