Categories: ବାଣିଜ୍ୟ

ରାଜ୍ୟରେ ବଢ଼ିବ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେଶନ-ଇନୋଭେଶନ

ଭୁବନେଶ୍ୱର,୪।୧୨: ଚଳିତ ବର୍ଷର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ୩ୟ ସଂସ୍କରଣର ୩ୟ ଦିନରେ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କେତେକ ରାଜିନାମା ସ୍ବାକ୍ଷରିତ ହୋଇଯାଇଛି। ବିଶେଷ କରି ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ଏ ସବୁ ରାଜିନାମାରେ ବ୍ୟବସ୍ଥା ରହିଛି। ଆବଲ୍‌ (ଆସୋସିଏସନ୍‌ ଅଫ୍‌ ବାୟୋଟେକ୍‌ନୋଲୋଜି ଲେଡ୍‌ ଏଣ୍ଟ ପ୍ରାଇଜ୍‌), ଗ୍ଲୋବାଲ୍‌ ନେଟ୍‌ଓ୍ବାର୍କ ଅଫ୍‌ ଇଣ୍ଟ୍ରପ୍ରିନିୟୋର୍ସ ଆଣ୍ଡ ପ୍ରଫେସନାଲସ୍‌ ଫର ଓଡ଼ିଶା, ହୁଓ୍ବେଲ ଲାଇଫ୍‌ ସାଇନ୍‌ସେସ୍‌, କ୍ରପ୍‌ଜିନି ଭଳି ସଂସ୍ଥା ସହ ଏସବୁ ରାଜିନାମା ସ୍ବାକ୍ଷରିତ ହୋଇଛିା ରାଜ୍ୟରେ ବାୟୋଟେକ୍‌ନୋଲୋଜି ବିକାଶ ପାଇଁ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେସନ୍‌, ଗବେଷଣା, ନେଟ୍‌ଓ୍ବାର୍କିଂ ଇତ୍ୟାଦି ନିମନ୍ତେ ଏହି ସଂସ୍ଥା ଗୁଡ଼ିକ ସହଯୋଗ କରିବେ ବୋଲି ରାଜିନାମାରେ ଘୋଷଣା କରାଯାଇଛି। ହୁଓ୍ବେଲ୍‌ ଲାଇଫ୍‌ ସାଇନ୍‌ସେସ୍‌ ୫୦କୋଟି ଟଙ୍କା ଓ କ୍ରପ୍‌ଜିନି ୫୦୦କୋଟି ଟଙ୍କା ବିନିଯୋଗ କରିବେ। ଏହି ନିବେଶ ଫଳରେ ୮୦୦୦ ରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳି ପାରିବ। ପୂର୍ବରୁ ଭାରତ ବାୟୋଟେକ୍‌ ଟିକା ଉତ୍ପାଦନ ପାଇଁ ୫୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିଥିବାବେଳେ ଏବେ ପ୍ରକଳ୍ପ ସଂପ୍ରସାରଣ ପାଇଁ ଆଉ ୭୦୦କୋଟି ଟଙ୍କା ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛି। ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଥିଲେ, ଅପରିସୀମ ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶା ବାୟୋଟେକ୍‌ନୋଲୋଜି ବିକାଶ ପାଇଁ ରାଜ୍ୟ ସରକାର ବାୟୋଟେକନୋଲୋଜି ନୀତି, ଷ୍ଟାର୍ଟଅପ୍‌ ନୀତି ପ୍ରଣୟନ କରିଛନ୍ତିା ସେହିଭଳି ବିଭାଗୀୟ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ଓ ଯୁଗ୍ମ ଶାସନ ସଚିବ ପୂଜା ମିଶ୍ର ମଧ୍ୟ ଏ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉପନିର୍ଦ୍ଦେଶକ ଶଶିକାନ୍ତ ଦାସ ଓ ବରିଷ୍ଠ େ ବଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରେ ୨ଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଗୋଟିଏ ‘ ବାୟୋଫାର୍ମା’ ଓ ଅନ୍ୟଟି ‘କୃଷି ଓ ଶିଳ୍ପ’ ପ୍ରସଙ୍ଗ ଉପରେ ହୋଇଥିବାବେଳେ ଏଥିରେ ଶିଳ୍ପୋଦ୍ୟୋଗୀ, ଉଦ୍ୟୋଗ କର୍ମକର୍ତ୍ତା ଓ ଅନ୍ୟ ଅଂଶୀଦାରମାନେ ମଧ୍ୟ ଉପସ୍ଥିତ ଥିଲେ।

Share