ଯୁବକଙ୍କୁ ଛୁରାମାଡ଼, ଦୁର୍ବୃତ୍ତ ଫେରାର

ବଡବିଲ,୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୁରୁଣା ବସଷ୍ଟାଣ୍ଡସ୍ଥିତ ଏକ ଚା’ ଦୋକାନରେ ମଙ୍ଗଳବାର ଜଣେ ଯୁବକଙ୍କୁ ଛୁରାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ଗୁରୁତର ଯୁବକ ଜଣକ ହେଲେ ବଡବିଲ ନିଉ ମାର୍କେଟ ଅଞ୍ଚଳରେ ରହୁଥିବା ଏମଡି ଆକବର। ଆକବରଙ୍କୁ ଗୁରୁତର ଅବସ୍ଥାରେ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୮ଟା ବେଳେ ବଡବିଲ ବସ୍‌ ଷ୍ଟାଣ୍ଡସ୍ଥିତ ଏକ ଚା’ ଦୋକାନ ସାମ୍ନାରେ ଆକବର ଛିଡା ହୋଇଥିବାବେଳେ ହଠାତ୍‌ ଜଣେ ଦୁର୍ବୃତ୍ତ ଛୁରୀରେ ଆଖିବୁଜା ଆକ୍ରମଣ କରିଥିଲେ। ଫଳରେ ଆକବରଙ୍କ ବାମ ପେଟ ଓ ପିଠିରେ ଗଭୀର ଆଘାତ ଲାଗିଥିଲା। ଆକ୍ରମଣ କରି ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ପୂର୍ବ ଶତୃତାରୁ ଏହି ଆକ୍ରମଣ ହୋଇଥିବା ଆଶଙ୍କା କରାଯାଉଥିଲାବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ।